ଆଦି କର୍ମଯୋଗୀ ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ଯାଜପୁର, ତା ୨୧.୦୮.୨୦୨୫ ରିଖ: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆଦି କର୍ମଯୋଗୀ ଅଭିଯାନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମ୍ମିଳନୀରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର କହିଲେ ଅନୁସୂଚିତ ଜନଜାତି ମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ “ଆଦି କର୍ମଯୋଗୀ ଅଭିଯାନ” ନାମରେ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଚଳିତ ବର୍ଷ ତଥା ୨୦୨୫ ଅଗଷ୍ଟ ମାସରୁ ଓଡିଶାର ୨୨ଗୋଟି ଜିଲ୍ଲାରେ କାର୍ଯକାରୀ ହେବାକୁ ଯାଉଛି । ଏହି ଜିଲ୍ଲାମାନଙ୍କ ଭିତରେ ଆମ ଯାଜପୁର ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ଜିଲ୍ଲାର ୫ ଗୋଟି ବ୍ଲକର ୬୭ ଗୋଟି ଆଦିବାସୀ ବହୁଳ ଗ୍ରାମରେ ଯଥା ସୁକିନ୍ଦା ବ୍ଲକ୍ ର ୩୪ ଟି ଗ୍ରାମ, ଦାନଗଦି ବ୍ଲକ୍ ର ୧୬ ଟି ଗ୍ରାମ, କୋରେଇ ବ୍ଲକର ୫ ଟି ଗ୍ରାମ ଧର୍ମଶାଳା ବ୍ଲକର ୫ ଟି ଗ୍ରାମ ଏବଂ ବଡ଼ଚଣା ବ୍ଲକ୍ ର ୭ ଟି ଗ୍ରାମରେ ଏହି ଅଭିଯାନର ସଫଳ ରୂପାୟନ ହେବାକୁ ଯାଉଛି ।
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଓ ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଗତ ଅକ୍ଟୋବର ୦୨ ତାରିଖରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ସ ଅଭିଯାନ (DA-JGUA) ର ଶୁଭାରମ୍ଭ କରାଯାଇଥିଲା। ଆଦି କର୍ମଯୋଗୀ ଅଭିଯାନ ଏହି ଯୋଜନାର ପୂର୍ଣ୍ଣାଙ୍ଗ ପରିପ୍ରକାଶ। ଏହି ଅଭିଯାନ ମାଧମରେ ଶିକ୍ଷା, ସାସ୍ଥ୍ୟ, ଗମନାଗମନ, ପଂଚାୟତ ଓ ପାନୀୟଜଳ, ଗ୍ରାମ ଉନ୍ନୟନ, କୃଷି, ମହିଳା ଓ ଶିଶୁ ବିକାଶ, ଜଙ୍ଗଲ ପରିବେଶ ଓ ସର୍ବୋପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସହଭାଗିତାରେ ଅନୁସୂଚିତ ଜନଜାତି ବହୁଳ ଗ୍ରାମ ମାନଙ୍କରେ ତୃଣମୂଳ ସ୍ତରରେ ପ୍ରଶାସନକୁ ପହଁଚାଇବା ସହିତ ସମସ୍ତ ସରକାରଙ୍କର ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର ଓ ଅତ୍ୟାବଶ୍ୟକ ସେବାର ଉପଲବ୍ଧତା କରାଇବା ପାଇଁ ପ୍ରତ୍ୟେକ ଗ୍ରାମରେ ୨୦ ଜଣ ବିଶିଷ୍ଟ ଆଦିବାସୀ କ୍ୟାଡର ସୃଷ୍ଟି କରା‌ଯିବ । ଏମାନଙ୍କୁ ଆଦି କର୍ମଯୋଗୀ, ଆଦି ସହଯୋଗୀ ଏବଂ ଆଦି ସାଥୀ ନାମରେ ଅବିହିତ କରାଯାଇ ସରକାର ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ସେତୁ ସୃଷ୍ଟି କରାଯିବ ଏବଂ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରାଯିବ।
ଏହି ସବୁ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଏକ ସେବା କେନ୍ଦ୍ର ଚିହ୍ନଟ କରାଯିବ । ସାଧାରଣ ଭାବରେ ସ୍ଥାନୀୟ ଅଙ୍ଗନୱାଡ଼ୀ କେନ୍ଦ୍ର, ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଏହି ସେବା କେନ୍ଦ୍ର କାର୍ଯ୍ୟକରିବ।ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା, ବ୍ଳକ, ଗ୍ରାମପଂଚାୟତ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ ପରେ ଏହି ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରି ପ୍ରତ୍ୟେକ ଗ୍ରାମ ନିମନ୍ତେ ଏକ ଗ୍ରାମ୍ୟ କାର୍ଯ୍ୟ ଖସଡ଼ା (Village Action Plan) ପ୍ରସ୍ତୁତ କରାଯିବ ଏବଂ ତଦନୁଯାୟୀ କାର୍ଯ୍ୟର ସଫଳ ରୂପାୟନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କର ପ୍ରକାଶ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମାଙ୍ଗଳିକା ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ପ୍ରିଣ୍ଟ ଏବଂ ଇଲେକଟ୍ରୋନିକ୍ ମିଡ଼ିଆର ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.