ରାୟଗଡାରେ ୧୫ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ, ରାଜ୍ୟର ମାଓବାଦ ବିରୋଧୀ ଲଢ଼ାଇରେ ବଡ଼ ସଫଳତା
ରାୟଗଡା, ୭.୨.୨୦୨୬:
ଓଡ଼ିଶାରେ ମାଓବାଦ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଆଜି ରାୟଗଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟ (DPO) ରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ୧୫ ଜଣ ହାର୍ଡକୋର୍ ମାଓବାଦୀ ଓଡ଼ିଶା ପୁଲିସର ADG (Anti-Naxal Operations) ଶ୍ରୀ ସଞ୍ଜୀବ ପାଣ୍ଡା, IPSଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ସ୍ୱଇଚ୍ଛାରେ ହିଂସା ପଥ ତ୍ୟାଗ କରି ନିଜ ଅସ୍ତ୍ରଶସ୍ତ୍ର ଶ୍ରୀ ପାଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ଏହା ତାଙ୍କର ମୂଖ୍ୟଧାରା ସମାଜକୁ ଫେରିବା ନିଷ୍ପତ୍ତିର ପ୍ରତୀକ ବୋଲି କୁହାଯାଇଛି। ଏହି ଅବସରରେ ADG ଶ୍ରୀ ସଞ୍ଜୀବ ପାଣ୍ଡା କହିଥିଲେ ଯେ, ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ରାଜ୍ୟରେ ବାମପନ୍ଥୀ ଚରମପନ୍ଥୀ ଧାରଣାର ପ୍ରଭାବ କ୍ରମେ ହ୍ରାସ ପାଉଥିବାର ସ୍ପଷ୍ଟ ପ୍ରମାଣ। SOG, DVF, CRPF ଓ BSF ଦ୍ୱାରା ଚାଲିଥିବା ଲଗାତାର ଅପରେସନ୍ ମାଓବାଦୀଙ୍କ ଭିତ୍ତିକୁ ଦୁର୍ବଳ କରିଛି ବୋଲି ସେ କହିଥିଲେ।ଆତ୍ମସମର୍ପଣ କରିଥିବା ୧୫ ଜଣଙ୍କ ମଧ୍ୟରେ ନିଖିଲ ଓ ଇନ୍ଦୁ ନାମକ ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ଥିବାବେଳେ, ତାଙ୍କ ଉପରେ ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଥିଲା। ସମୁଦାୟ ୧୫ ଜଣଙ୍କ ଉପରେ ୧ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା।

ଏହି ଦଳରେ ୨ ଜଣ ରାଜ୍ୟ କମିଟି ସଦସ୍ୟ, ୧ ଜଣ ଡିଭିଜନାଲ୍ କମିଟି ସଦସ୍ୟ, ୫ ଜଣ ଏରିଆ କମିଟି ସଦସ୍ୟ ଓ ୮ ଜଣ ସାଧାରଣ ପାର୍ଟି ସଦସ୍ୟ ଅଛନ୍ତି।
ଆତ୍ମସମର୍ପଣ ସମୟରେ ୧୪ଟି ଅସ୍ତ୍ର ଜବତ କରାଯାଇଛି, ଯାହା ମଧ୍ୟରେ ୨ଟି AK-47, ୫ଟି SLR, ୧ଟି INSAS, ୧ଟି ଷ୍ଟେନଗନ୍, ୧ଟି .303 ରାଇଫଲ୍, ୪ଟି ସିଙ୍ଗଲ୍ ଶଟ୍ ଗନ୍ ସହ ବହୁ ପରିମାଣର ଗୋଳାବାରୁଦ ରହିଛି। ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରାୟ ୧୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।
ଏହି ମାଓବାଦୀ ଦଳ BGN ଡିଭିଜନ (ବାଂଶଧାରା, ଘୁମନ, ନାଗାବଳୀ) ଅଞ୍ଚଳରେ କାର୍ଯ୍ୟରତ ଥିଲେ ଓ ରାୟଗଡା, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ଥିଲେ। ନିଖିଲ ୨୦୦୪ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିବାବେଳେ ୨୦୦୮ ରୁ BGN ଡିଭିଜନରେ ସକ୍ରିୟ ଥିଲେ। ଡିସେମ୍ବର ୨୦୨୫ରେ କନ୍ଧମାଳରେ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଗଣେଶ ଉଇକେ ନିହତ ହେବା ପରେ ନିଖିଲ ରାଜ୍ୟର ସବୁଠୁ ଉଚ୍ଚ ପଦସ୍ଥ ମାଓବାଦୀ ଭାବେ ଚିହ୍ନଟ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ IG CRPF ଶ୍ରୀ ଅମିତେନ୍ଦ୍ର ନାଥ ସିଂହ, IG ଅପରେସନ୍ ଡ଼ଃ ଦୀପକ କୁମାର, DIG SIW ଶ୍ରୀ ଅଖିଲେଶ୍ୱର ସିଂହ, DIG କୋରାପୁଟ ଶ୍ରୀ ବିଶାଲ ସିଂହ, ରାୟଗଡା କଲେକ୍ଟର ଶ୍ରୀ ଅଶୁତୋଷ କୁଲକର୍ଣୀ, SP ମିସ୍ ସ୍ୱାଥୀ, କନ୍ଧମାଳ SP ଶ୍ରୀ ହରିଶ BC ଓ କଳାହାଣ୍ଡି SP ଶ୍ରୀ ନାଗରାଜ ଉପସ୍ଥିତ ଥିଲେ।
ପୁଲିସ ସୂତ୍ର ଅନୁଯାୟୀ, ନୁଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ବୌଦ୍ଧ ଜିଲ୍ଲାଗୁଡ଼ିକ ପୂର୍ଣ୍ଣ ଭାବେ ମାଓବାଦ ମୁକ୍ତ ହୋଇସାରିଛି।
ADG ଶ୍ରୀ ପାଣ୍ଡା ଅନ୍ୟ ମାଓବାଦୀମାନଙ୍କୁ ହିଂସା ଛାଡ଼ି ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସରେଣ୍ଡର୍ ଓ ପୁନର୍ବାସ ନୀତି ଅନୁସାରେ ସମସ୍ତ ସହଯୋଗ ମିଳିବ ବୋଲି ଆଶ୍ୱାସନ ଦେଇଛନ୍ତି।