ଟାଙ୍ଗୀରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର
ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କଲେ କଂଗ୍ରେସ ନେତା ହରିବନ୍ଧୁ ଶତପଥୀ
ଟାଙ୍ଗୀ/ଚୌଦ୍ବାର, (କଳିଙ୍ଗ ୭ ନିୟୁଜ୍ ): ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ଶାଳ ଗାଁ ଗ୍ରାମପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମରେ ଆଜି ପ୍ରାୟ ଦିବା ୧୧ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକାଲ୍ ସର୍ଟ ସର୍କିଟ୍ ଯୋଗୁଁ ଲାଗିଥିବା ଆଗୁନରେ ଗ୍ରାମର ହୃଦାନନ୍ଦ ସ୍ୱାଇଁ, ସଦାନନ୍ଦ ସ୍ୱାଇଁ ଓ ବିଚିତ୍ରାନନ୍ଦ ସ୍ୱାଇଁ (ପିତା–ଗନ୍ଧର୍ବ ସ୍ୱାଇଁ)ଙ୍କ ପାଞ୍ଚ ବଖରା ଘର ପୂରାପୂରି ଜଳିଯାଇଛି। ଘଟଣାରେ ଘରେ ଥିବା ଆସବାବପତ୍ର, ଧାନ ଚାଉଳ ଓ ଅନ୍ୟାନ୍ୟ ଦୈନିକ ପ୍ରୟୋଜନୀୟ ସାମଗ୍ରୀ ଆଗ୍ନିକାଣ୍ଡରେ ଧ୍ୱଂସ ହୋଇଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆଗୁନକୁ ନିୟନ୍ତ୍ରଣ କରାଯାଇଥିଲା। ଖବର ପାଇ ଟାଙ୍ଗୀ-ସାଲେପୁର କଂଗ୍ରେସ ଦଳର ନେତା ଓ ସମାଜସେବୀ ହରିବନ୍ଧୁ ଶତପଥୀ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସହାନୁଭୂତି ଜଣାଇଥିଲେ। ସେ ପୀଡ଼ିତ ପରିବାରଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ ଏବଂ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇବା ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ।
ତାଙ୍କ ସହ ସାଳଗାଁ ପଞ୍ଚାୟତର ଜଣାଶୁଣା ସମାଜସେବୀ ମନୋଜ କୁମାର ଖିଲାର୍ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଶୀଘ୍ର ତଦନ୍ତ ସହିତ ପୀଡ଼ିତ ପରିବାରଙ୍କୁ ଆର୍ଥିକ ସହାୟତା ଓ ପୁନର୍ବାସ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।