ଯାଜପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା

ସଂକୀର୍ତ୍ତନ ଦଳର ଗାଡ଼ି ଓଲଟି ୨ ମୃତ, ୫ ଆହତ

ଯାଜପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା: ସଂକୀର୍ତ୍ତନ ଦଳର ଗାଡ଼ି ଓଲଟି ୨ ମୃତ, ୫ ଆହତ ଯାଜପୁର: ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ପଥ ମଧ୍ୟରେ ମାଡ଼ି ଆସିଲା ମୃତ୍ୟୁ। ଯାଜପୁର ଜିଲ୍ଲା ବୈରୀ ଠାରୁ ଉପୂଳା ହାଇଲେବୁଲ କେନାଲ ରାସ୍ତାରେ ଥିବା ଶାଇ ବାବା ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ସଂକୀର୍ତ୍ତନ ମଣ୍ଡଳୀ ‘ଅଷ୍ଟପ୍ରହରୀ’ କାର୍ଯ୍ୟକ୍ରମ ଶେଷ କରି ଏକ ଟାଟା ଏସି ଗାଡ଼ିରେ ନିଜ ଗାଁକୁ ଫେରୁଥିଲେ। ତେବେ ବୈରୀ ନିକଟରେ କୌଣସି କାରଣବଶତଃ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟିବା ମାତ୍ରେ ଘଟଣାସ୍ଥଳରେ ଚିତ୍କାର ଶୁଭିଥିଲା ଏବଂ ସ୍ଥାନୀୟ ଲୋକେ ତୁରନ୍ତ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ।ଏହି ଦୁର୍ଘଟଣାରେ ଉପୁଳା ଗ୍ରାମର ଚନ୍ଦନ ମଲ୍ଲିକ ଏବଂ ଉପେନ୍ଦ୍ର ମଲ୍ଲିକଙ୍କର ପ୍ରାଣହାନି ଘଟିଛି। ଉଭୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୫ ଜଣଙ୍କୁ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ (SCB) କୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ବୈରୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଚାଳକଙ୍କ ଅସାବଧାନତା ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।

Leave A Reply

Your email address will not be published.