୩ ଥର ବିଷ ଦେଇ ମାରିବା ଯୋଜନା ବିଫଳ ହେବା ପରେ ୧ ଲକ୍ଷ ଟଙ୍କା ସୁପାରି ଦେଇ କରାଗଲା ହତ୍ୟା
ସ୍ୱାମୀ ହିଁ ନିକଳିଲେ ମାଷ୍ଟରମାଇଣ୍ଡ।
ମହାରାଷ୍ଟ୍ର: ୩ ଥର ବିଷ ଦେଇ ମାରିବା ଯୋଜନା ବିଫଳ ହେବା ପରେ ୧ ଲକ୍ଷ ଟଙ୍କା ସୁପାରି ଦେଇ କରାଗଲା ହତ୍ୟା, ସ୍ୱାମୀ ହିଁ ନିକଳିଲେ ମାଷ୍ଟରମାଇଣ୍ଡ।
ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରୁ ଏକ ଏମିତି ଖବର ସାମ୍ନାକୁ ଆସିଛି, ଯାହା ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଛି। ଜଣେ ଶିକ୍ଷକ ସ୍ୱାମୀ ନିଜ ଶିକ୍ଷିକା ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଯେପରି ସଢ଼ଯନ୍ତ୍ର ରଚିଥିଲେ, ତାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଛି। ଅଭିଯୁକ୍ତ ସ୍ୱାମୀ ପ୍ରକାଶ ପ୍ରଥମେ ୩ ଥର ନିଜ ସ୍ତ୍ରୀ ବୃଷାଳୀଙ୍କ ଖାଦ୍ୟରେ ବିଷ ମିଶାଇ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରତ୍ୟେକ ଥରେ ଭାଗ୍ୟକ୍ରମେ ବୃଷାଳୀ ବଞ୍ଚିଯାଇଥିଲେ। ଗତ ୨ ମାର୍ଚ୍ଚ ସକାଳେ ବୃଷାଳୀ ସ୍କୁଟିରେ ସ୍କୁଲ (ପିମ୍ପଲଗାଁ କାଲେ) କୁ ଯାଉଥିବା ସମୟରେ ରାସ୍ତାରେ ଗୋଟିଏ ସଫେଦ ରଙ୍ଗର ଟାଟା ଇଣ୍ଟ୍ରା ଗାଡ଼ି ତାଙ୍କ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଥିଲେ।
ଆରମ୍ଭରେ ଏହା ଏକ ସାଧାରଣ ସଡ଼କ ଦୁର୍ଘଟଣା ଭାବରେ ଲାଗିଥିଲା, କିନ୍ତୁ ପୋଲିସଙ୍କୁ ଏଥିରେ ସନ୍ଦେହ ହୋଇଥିଲା। ପରେ ସିସିଟିଭି ଫୁଟେଜ୍ ଓ ପ୍ରାଯୁକ୍ତିକ ତଦନ୍ତ ଆରମ୍ଭ ହେବା ପରେ ଘଟଣାଟି ହତ୍ୟା ସଢ଼ଯନ୍ତ୍ର ଥିବା କଥା ସାମ୍ନାକୁ ଆସିଥିଲା। ତଦନ୍ତ ସମୟରେ ସନ୍ଦେହର ସୁଇ MH 28 BB 5753 ନମ୍ବରର ସଫେଦ ଟାଟା ଇଣ୍ଟ୍ରା ଗାଡ଼ି ଉପରେ ପଡ଼ିଥିଲା। ଏହି ଘଟଣା ଜଳଗାଁ ଜାମୋଦ ତହସିଲର କବଠଲ ଗାଁ ନିକଟରେ ଘଟିଥିବା କୁ ଜଣାପଡ଼ିଛି।