ମଦ ବିକ୍ରିକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଭାଟି ମ୍ୟାନେଜରଙ୍କୁ ଦେଲେ ଦାବିପତ୍ର

ମଦ ବିକ୍ରିକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଭାଟି ମ୍ୟାନେଜରଙ୍କୁ ଦେଲେ ଦାବିପତ୍ର

କଳାହାଣ୍ଡି ,କୋକସରା, ଉଦିତ ନାରାୟଣ ଠାକୁର  ଗାଁ ଗାଁରେ ମଦ ବିକ୍ରିକୁ ନେଇ ବିଭିନ୍ନ ସମୟରେ ବିବାଦ ଓ ପ୍ରତିବାଦ ଦେଖିବାକୁ ମିଳୁଛି। କେଉଁଠି ମଦ କୋଠି ଖୋଲିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି, ତ ଆଉ କେଉଁଠି ମଦ ବିକ୍ରି ବନ୍ଦ ଦାବିରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଷାପାଳି ପଞ୍ଚାୟତ ଅନ୍ତର୍ଗତ ଗହନାମୁଣ୍ଡା ଗାଁରେ ଦେଖିବାକୁ ମିଳିଛି।

ଗାଁରେ ଖୁଲମଖୁଲା ମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇଛନ୍ତି। ମଦ ବିକ୍ରି ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ଘରୋଇ ହିଂସା ବୃଦ୍ଧି ପାଉଥିବା ଅଭିଯୋଗ କରି ଗ୍ରାମବାସୀ ମଦ କୋଠି ବନ୍ଦ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁସାରେ, ଗହନାମୁଣ୍ଡା ଗାଁରେ ମଦ ବିକ୍ରିକୁ ବିରୋଧ କରି ମହିଳା ଓ ପୁରୁଷ ଓ ଯୁବକ ମାନେ ଶୋଭାଯାତ୍ରାରେ ଏକତ୍ରିତ ହୋଇଥିଲେ। ହାତରେ ପ୍ଲାକାର୍ଡ ଧରି ମଦ ବନ୍ଦ ଦାବିରେ ସ୍ଲୋଗାନ୍ ଦେଇ ସେମାନେ ବେହେରା ମଦ ଭାଟିରେ ପହଞ୍ଚିଥିଲେ। ପରେ ଭାଟି ମ୍ୟାନେଜରଙ୍କୁ ଭେଟି ଗହନାମୁଣ୍ଡା ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବି ଜଣାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ ମଦ ବିକ୍ରି ଚାଲିଥିବାରୁ ଅନେକ ପରିବାର ଏହାର ପ୍ରଭାବରେ ପଡୁଛନ୍ତି। ମଦ୍ୟପାନ କାରଣରୁ ଘରୋଇ କଳହ, ଆର୍ଥିକ ଅସୁବିଧା ଓ ପରିବାରିକ ଅଶାନ୍ତି ବଢୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଗାଁରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ ବୋଲି ମହିଳାମାନେ ଦାବି କରିଛନ୍ତି।ଗହନାମୁଣ୍ଡା ଗାଁର ମହିଳାମାନେ କିନ୍ତୁ ମଦ ବିରୋଧରେ ନିଜ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି। ମଦ ବନ୍ଦ ଦାବିରେ ମହିଳାମାନଙ୍କ ଏହି ଆନ୍ଦୋଳନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀଙ୍କ ଦାବି ଉପରେ ମଦ ଭାଟି ପକ୍ଷ ଏବଂ ସମ୍ପୃକ୍ତ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି, ତାହାକୁ ନେଇ ଏବେ ଅପେକ୍ଷା ରହିଛି। ମଦମୁକ୍ତ ଗାଁ ଗଠନ ଦିଗରେ ଗ୍ରାମବାସୀଙ୍କ ଏହି ପଦକ୍ଷେପ କେତେଦୂର ସଫଳ ହେଉଛି ଏବଂ ଗାଁରେ ମଦ ବିକ୍ରି ବନ୍ଦ ହେଉଛି କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply

Your email address will not be published.