କୋଟପାଡ଼ AEE ସତ୍ୟନାରାୟଣ ସେଠୀଙ୍କ ବିପୁଳ ସମ୍ପତ୍ତି ଠାବ, ୩୨ ପ୍ଲଟ୍ ଓ ୨ ଫାର୍ମହାଉସ ଜବତ

କୋଟପାଡ଼ AEEଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋଟପାଡ଼ AEE ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧ ଫ୍ଲାଟ, ୨ ଫାର୍ମହାଉସ, ୩୨ଟି ପ୍ଲଟ୍ ସହ ବିପୁଳ ସମ୍ପତ୍ତି ଠାବ

କୋରାପୁଟ: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି। ତଲାସି ସମୟରେ ତାଙ୍କ ଏବଂ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ସମ୍ପତ୍ତି ଠାବ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଟଣୀ ଅଞ୍ଚଳରେ ପ୍ରାୟ ୧୦୦୦ ବର୍ଗଫୁଟ ବିଶିଷ୍ଟ ଏକ ୨-ବିଏଚକେ ଫ୍ଲାଟ ଠାବ ହୋଇଛି। ଏହାସହ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ତରାଗାଁ ମୌଜାରେ ୧୦.୦୩ ଏକର ବିସ୍ତୃତ ଆମ୍ବ ଓ ୟୁକାଲିପଟସ୍ ଚାଷ ଥିବା ଏକ ଫାର୍ମହାଉସ ଏବଂ ୪.୩୫ ଏକର ବିସ୍ତୃତ ନୀଳଗିରି ଚାଷ ଥିବା ଆଉ ଏକ ଫାର୍ମହାଉସ ଚିହ୍ନଟ କରାଯାଇଛି।

ଏଥିସହ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଓ ପଟାଙ୍ଗୀ ତହସିଲ ଅଞ୍ଚଳରେ ମୋଟ ୩୨ଟି ମୂଲ୍ୟବାନ ପ୍ଲଟ୍ ଥିବା ସୂଚନା ମିଳିଛି। ଏହି ସମସ୍ତ ଜମି, ଫ୍ଲାଟ ଓ ଫାର୍ମହାଉସର ମାପଜୋଖ ଏବଂ ବଜାର ମୂଲ୍ୟ ନିର୍ଦ୍ଧାରଣ କାମ ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ପକ୍ଷରୁ କରାଯାଉଛି।

ତଲାସି ସମୟରେ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ଏବଂ ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ବ୍ୟାଙ୍କ, ଡାକଘର ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ବିନିଯୋଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି।

ଭିଜିଲାନ୍ସର ତଲାସି ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.