ବିଶ୍ୱ ପରିବେଶ ଦିବସରେ NH-16 ରେ ୧୦,୦୦୦ ଚାରା ରୋପଣ, NHAI ର ବୃହତ୍ ପଦକ୍ଷେପ
NH-16 ରେ ୧୦ ହଜାର ଚାରା ରୋପଣ ଅଭିଯାନ
ବିଶ୍ୱ ପରିବେଶ ଦିବସ ଅବସରରେ NH-16 ରେ ୧୦ ହଜାର ଚାରା ରୋପଣ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର, ୨୧ ଜୁନ: (କଳିଙ୍ଗ ୭ ନିୟୁଜ )ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ, ପିଆଇୟୁ ଭୁବନେଶ୍ୱର ଏବଂ ଶ୍ରୀଜଗନ୍ନାଥ ଏକ୍ସପ୍ରେସୱେଜ୍ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ସହଯୋଗରେ ଏନ୍ଏଚ୍-୧୬ ର ବରମୁଣ୍ଡାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଏକ ବୃହତ୍ ଚାରା ରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ରାଜପଥର ମିଡିଆନ୍ ଓ ଆଭେନ୍ୟୁ ପ୍ଲାଣ୍ଟେସନ୍ ଅଞ୍ଚଳରେ ମୋଟ ୧୦,୦୦୦ ଚାରା ରୋପଣ କରାଯିବ। ଏହା ମାଧ୍ୟମରେ ରାଜପଥ ପାର୍ଶ୍ୱରେ ସବୁଜିମା ବୃଦ୍ଧି ପାଇବା ସହ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ମିଳିବ। ଏହି କାର୍ଯ୍ୟକ୍ରମରେ NHAI ଓ ପ୍ରକଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଲାଲ, ଜିଏମ୍ (ଟେକ୍ନିକାଲ୍) ଓ ଆଞ୍ଚଳିକ ଅଧିକାରୀ, NHAI ଓଡ଼ିଶା; ସୁରଜ କୁମାର ସିଂହ, ପ୍ରକଳ୍ପ ନିର୍ଦ୍ଦେଶକ, PIU ଭୁବନେଶ୍ୱର; ରାଜୀବ କୁମାର, ମ୍ୟାନେଜର (ଟେକ୍ନିକାଲ୍), PIU ଭୁବନେଶ୍ୱର; ପ୍ରଭାତ କୁମାର ଲେଙ୍କା, ପ୍ରକଳ୍ପ ପରିଚାଳକ, ଶ୍ରୀଜଗନ୍ନାଥ ଏକ୍ସପ୍ରେସୱେଜ୍ ପ୍ରା.ଲି.; ଭାବଗ୍ରାହୀ ଦାସ, ଶ୍ରୀଧର ମହାଲା (ରେସିଡେଣ୍ଟ ଇଞ୍ଜିନିୟର), ମିଥିଲେଶ ପ୍ରଧାନ (ପରିବେଶ ସହଯୋଗୀ), ଧୀରେନ୍ଦ୍ର ମହାକୁର (ଉଦ୍ୟାନ ବିଶେଷଜ୍ଞ), ଜଳଜ ଜୈନ (ସାଇଟ୍ ଇଞ୍ଜିନିୟର), ଗୋରାଚାନ୍ଦ ମଲ୍ଲିକ (CMEC), ପ୍ରତାପ କୁମାର ନନ୍ଦ, ଅନିଲ କୁମାର ପଣ୍ଡା, ଅଭିଷେକ ପରାଶର, ସୁନୀଲ ମିଶ୍ର, ଅଚ୍ୟୁତାନନ୍ଦ ଦାସ ଓ ପୁଣ୍ୟଶ୍ଲୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୃକ୍ଷରୋପଣ ଅଭିଯାନ NHAI, PIU ଭୁବନେଶ୍ୱର ଏବଂ ଶ୍ରୀଜଗନ୍ନାଥ ଏକ୍ସପ୍ରେସୱେଜ୍ ପ୍ରାଇଭେଟ୍ ଲିମିଟେଡ୍ର ପରିବେଶ ସୁରକ୍ଷା, ସ୍ଥାୟୀ ରାଜପଥ ବିକାଶ ଏବଂ ସବୁଜ ପରିବହନ କରିଡର ଗଠନ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏହି ପଦକ୍ଷେପ ଦ୍ୱାରା ରାଜପଥ ପାର୍ଶ୍ୱର ସୌନ୍ଦର୍ଯ୍ୟ ବୃଦ୍ଧି, ଜୈବ ବିବିଧତାର ସୁରକ୍ଷା, ପରିବେଶୀୟ ପ୍ରଭାବ ହ୍ରାସ ଏବଂ ଦୀର୍ଘମିଆଦି ପରିବେଶୀୟ ସ୍ଥିରତା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।
“ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ରାଜପଥ” ଏହି ଅଭିଯାନର ମୂଳ ବାର୍ତ୍ତା ହୋଇଥିବା ବେଳେ ଏହା ଏକ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ଓଡ଼ିଶା ଗଠନ ପ୍ରତି ସମସ୍ତ ଅଂଶୀଦାରଙ୍କ ସଂକଳ୍ପକୁ ପୁନଃଦୃଢ଼ କରିଛି।