ବ୍ରହ୍ମଦାରୁ କଳା ପ୍ରଦର୍ଶନୀ ଉଦ୍ଘାଟିତ : ନିମ କାଠ ଫାଳିରେ ‘ମର୍ଦ୍ଦା ଶ୍ରୀକ୍ଷେତ୍ର’ ଚିତ୍ରକଳାର ଅନନ୍ୟ ଉପସ୍ଥାପନା, ୧୦ ବରିଷ୍ଠ ଶିଳ୍ପୀଙ୍କୁ ‘ସ୍ନାନଜ୍ୟୋତି ସମ୍ମାନ’

ଲିପ୍ଶା ରାଉତ ଭୁବନେଶ୍ବର

ବ୍ରହ୍ମଦାରୁ କଳା ପ୍ରଦର୍ଶନୀ ଉଦ୍ଘାଟିତ : ନିମ କାଠ ଫାଳିରେ ‘ମର୍ଦ୍ଦା ଶ୍ରୀକ୍ଷେତ୍ର’ ଚିତ୍ରକଳାର ଅନନ୍ୟ ଉପସ୍ଥାପନା, ୧୦ ବରିଷ୍ଠ ଶିଳ୍ପୀଙ୍କୁ ‘ସ୍ନାନଜ୍ୟୋତି ସମ୍ମାନ’

ଭୁବନେଶ୍ୱର, ୨୭ ଜୁଲାଇ ୨୦୨୬: ଚନ୍ଦ୍ରମା ଫାଉଣ୍ଡେସନ୍, ଭିଜନ୍ କେୟାର୍ ଏବଂ କୋଆଲା ବେୟାରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସୂଚନା ଭବନଠାରେ ଦୁଇଦିନିଆ “ବ୍ରହ୍ମଦାରୁ କଳା ପ୍ରଦର୍ଶନୀ” ଆଜି ଉଦ୍ଘାଟିତ ହୋଇଛି। ଜୁଲାଇ ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ନିମ କାଠ ଫାଳି (Neem Wood Slice) ଉପରେ ଅଙ୍କିତ ‘ମର୍ଦ୍ଦା ଶ୍ରୀକ୍ଷେତ୍ର’ ବିଷୟଭିତ୍ତିକ ଚିତ୍ରକଳା ଦର୍ଶକଙ୍କ ବିଶେଷ ଆକର୍ଷଣ ସାଜିଛି।ଉଦ୍ଘାଟନୀ ଉତ୍ସବରେ ନ୍ୟୁଜ୍-୭ର ସମ୍ପାଦକ ଦେବ ନାରାୟଣ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏଭଳି ପ୍ରୟାସର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ବିନୋଦ ମହାରଣା, କୋଆଲା ବେୟାରର ପ୍ରତିଷ୍ଠାତା ସନ୍ତୋଷ ଚୌଧୁରୀ, ଭିଜନ୍ କେୟାର୍ର ପ୍ରତିଷ୍ଠାତା ଶ୍ରୀମନ୍ତ ଦାସ ଏବଂ ଆଇଏମଏଫଏ (IMFA)ର ଅବସରପ୍ରାପ୍ତ ହେଡ୍ କର୍ପୋରେଟ୍ ଆଫେୟାର୍ସ ଶଶାଙ୍କ ପଟ୍ଟନାୟକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଦୀର୍ଘଦିନର କଳା ସାଧନା ଓ ଆଜୀବନ ଅବଦାନ ପାଇଁ ୧୦ ଜଣ ବରିଷ୍ଠ କଳାକାରଙ୍କୁ ‘ସ୍ନାନଜ୍ୟୋତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନିତ କଳାକାରମାନେ ହେଲେ—* ଗୌରାଙ୍ଗ ବାରିକୀ * ରବିନାରାୟଣ ରଥ * ଜ୍ଞାନେଶ ମିଶ୍ର * ଗଜେନ୍ଦ୍ର ପ୍ରସାଦ ସାହୁ * ସତ୍ୟବ୍ରତ ଦାସ * ଶଶିକାନ୍ତ ରାଉତ * ତାରାକାନ୍ତ ପରିଡ଼ା * ନିତ୍ୟାନନ୍ଦ ସାହୁ * ପ୍ରଦୀପ ପାଣ୍ଡେ * ବିଜୟ କୁମାର ଖଟୋଇଅନୁଷ୍ଠାନରେ ଚନ୍ଦ୍ରମା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଅଶୋକ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରିଥିବାବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ବ୍ରହ୍ମଦାରୁ ପରମ୍ପରା, ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ନିମ କାଠ ଫାଳିରେ ଅଙ୍କିତ ସୃଜନଶୀଳ କଳାକୃତି ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଏହି ପ୍ରଦର୍ଶନୀର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ବହୁ କଳାପ୍ରେମୀ, ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକ ପରିଦର୍ଶନ କରିବେ ବୋଲି ଆଶା କରାଯାଇଛି।

Leave A Reply

Your email address will not be published.