ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା
ଲିପ୍ଶା ରାଉତ ଭୁବନେଶ୍ବର
ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା

ଭୁବନେଶ୍ୱର ,୯ ଅଗଷ୍ଟ ୨୦୨୬ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ।
