- ଲାଥିକଟା ତହସିଲଦାରଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ, ଭିଜିଲାନ୍ସର ଚଢ଼ାଉ
ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଓ ଅସାଧୁ ଉପାର୍ଜନ ସନ୍ଦେହରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଲାଥିକଟା ତହସିଲଦାର-କମ୍-ସବ୍ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ଅଟକାଇ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ୨୦ ଅଗଷ୍ଟ ୨୦୨୬ ଦିନ ବିଶ୍ୱସନୀୟ ସୂଚନା ଆଧାରରେ ଭିଜିଲାନ୍ସର ଏକ ଟିମ୍ ଲାଥିକଟାର ରାଜାବସା ଛକ ନିକଟରେ ମୁରଲୀଧର ଉର୍ମାଲଙ୍କୁ ଅଟକାଇଥିଲା। ସେ ଲାଥିକଟା କାର୍ଯ୍ୟାଳୟରୁ ରାଉରକେଲାସ୍ଥିତ ନିଜ ବାସଭବନକୁ ଏକ ଭଡ଼ା ଅଫିସ୍ ଗାଡ଼ି (ସ୍କର୍ପିଓ)ରେ ଯାଉଥିବା ବେଳେ ଏହି ଯାଞ୍ଚ କରାଯାଇଥିଲା ଯାଞ୍ଚ ସମୟରେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା। ଉକ୍ତ ଟଙ୍କାର ଉତ୍ସ ସମ୍ପର୍କରେ ଶ୍ରୀ ଉର୍ମାଲ ସନ୍ତୋଷଜନକ ଭାବେ କୌଣସି ସ୍ପଷ୍ଟୀକରଣ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଫଳରେ ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କା ସହ ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାର ଦିଗରୁ ମୁରଲୀଧର ଉର୍ମାଲଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ତଲାସୀ ଅଭିଯାନ ଜାରି ରହିଛି। ଏ ସମ୍ପର୍କରେ ଆହୁରି ତଥ୍ୟ ପରବର୍ତ୍ତୀ ରିପୋର୍ଟରେ ଜଣାପଡ଼ିବ।