ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ମାରଣାସ୍ତ୍ର ଜବତ

ରାଉରକେଲା, ଜୁଲାଇ ୧୫: (ବସନ୍ତ କୁମାର ଜେନା,) ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ ଏକ ବଡ଼ ଧରଣର ରାତ୍ରିକାଳୀନ ଚଢ଼ାଉରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ଜୁଲାଇ ୧୪ ଓ ୧୫ ତାରିଖ ମଧ୍ୟରାତ୍ରିରେ ନାଇଟ୍ ପେଟ୍ରୋଲିଂରେ ଥିବା ସବ୍-ଇନ୍ସପେକ୍ଟର ୟୁ.କେ. ଆହିରଙ୍କ ନେତୃତ୍ୱାଧୀନ ଟିମ୍‌କୁ କିଛି ଦୁର୍ବୃତ୍ତଙ୍କ ଗତିବିଧି ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା। ଏହାପରେ ପ୍ଲାଣ୍ଟସାଇଟ୍ ଥାନା ଅଧୀନ ବିସ୍ରା ଛକ ନିକଟ ଟ୍ରାଫିକ୍ ମାର୍କେଟ୍ ପାର୍କିଂ ସ୍ଥଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ୫ ଜଣ ଅଭିଯୁକ୍ତ ଦୁଇଟି ଲୁହା ଖଣ୍ଡା, ଗୋଟିଏ ଭୁଜାଲି ଏବଂ ଦୁଇଟି ଲୁହା ରଡ୍ ଧରି ରାସ୍ତାଚାରୀ, ନିକଟସ୍ଥ ଘର, ଦୋକାନ ଓ ଏକ ପେଟ୍ରୋଲ ପମ୍ପକୁ ଟାର୍ଗେଟ୍ କରି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଅଭିଯୋଗ କରିଛି। ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ଭାବ୍ୟ ବଡ଼ ଅପରାଧକୁ ରୋକାଯାଇଥିବା କୁହାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ—

ବଣ୍ଟି ମନସୁରୀ (୩୨), ଗୋପବନ୍ଧୁପାଲ୍ଲୀ

ଇରଫାନ ଖାନ୍ (୧୯), ଗୋପବନ୍ଧୁପାଲ୍ଲୀ

ବିଶାଳ କୁମାର ତାନ୍ତି (୧୯), ଗୋପବନ୍ଧୁପାଲ୍ଲୀ

ଶମ୍ଭୁ ରାମ (୨୩), ଗୁରୁଦ୍ୱାରା ରୋଡ୍, ନ୍ୟୁ ବସ୍ ଷ୍ଟାଣ୍ଡ ନିକଟ

ମହମ୍ମଦ ସାହିଦ (୧୯), ମହତାବ ରୋଡ୍।

ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଲୁହା ଖଣ୍ଡା, ଗୋଟିଏ ଭୁଜାଲି ଏବଂ ଦୁଇଟି ଲୁହା ରଡ୍ ଜବତ କରାଯାଇଛି।

ପୁଲିସ କହିଛି ଯେ, ମୁଖ୍ୟ ଅଭିଯୁକ୍ତ ବଣ୍ଟି ମନସୁରୀଙ୍କ ନାମରେ ପ୍ଲାଣ୍ଟସାଇଟ୍ ଥାନାରେ ପୂର୍ବରୁ ଲୁଟ୍, ଚୋରି, ଡକାୟତି ପ୍ରସ୍ତୁତି, ଜବରଦସ୍ତି ଆଦାୟ, ମାଡ଼ପିଟ ଓ ଅସ୍ତ୍ର ଆଇନ ସମ୍ପର୍କିତ ଏକାଧିକ ମାମଲା ରହିଛି।

ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କର ଅନ୍ୟ କୌଣସି ଅପରାଧିକ ଚକ୍ର ସହ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.