କଟକ ସଦର ତହସିଲ କାଖଡ଼ି ସର୍କଲର ଆରଆଇ ଜଣେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ

କଟକ, ୨୨/୦୧/୨୦୨୬ :
କଟକ ସଦର ତହସିଲ ଅଧୀନ କାଖଡ଼ି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶ୍ରୀ ଜାନକୀ ରଞ୍ଜନ ମଲ୍ଲିକ ଘୁଷ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ତାରିଖ ୨୨.୦୧.୨୦୨୬ ଦିନ ସକାଳେ ମିଉଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦାଖଲ ଓ ଆରଓଆର (ପଟ୍ଟା) ଜାରି ପାଇଁ ଜଣେ ଜମିମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଉକ୍ତ ଜମିମାଲିକ ଅନଲାଇନ୍ ମାଧ୍ୟମରେ ମିଉଟେସନ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଆରଆଇ ଶ୍ରୀ ମଲ୍ଲିକ ମାମଲାର ଶୁଣାଣି ତାରିଖ ୨୭.୦୧.୨୦୨୬ ନିର୍ଦ୍ଧାରଣ କରି ୨୦.୦୧.୨୦୨୬ ଦିନ ନିଜ କାର୍ଯ୍ୟାଳୟକୁ ଆସିବାକୁ ଜମିମାଲିକଙ୍କୁ କହିଥିଲେ। ସେହି ଦିନ ମିଳିବା ସମୟ ମିଉଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଜମିମାଲିକ ଲାଞ୍ଚ ଦେବାରେ ଅସମର୍ଥତା ପ୍ରକାଶ କରିଥିଲେ ମଧ୍ୟ ଆରଆଇ ଶ୍ରୀ ମଲ୍ଲିକ ଲାଞ୍ଚ ନେବାକୁ ଅଡ଼ି ରହିଥିଲେ। ଏହାପରେ ଉପାୟ ନ ପାଇ ଜମିମାଲିକ ଓଡ଼ିଶା ଭିଜିଲାନ୍ସଙ୍କୁ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଏକ ଟ୍ରାପ୍ ଯୋଜନା କରି ଆଜି ଆରଆଇ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀ ମଲ୍ଲିକଙ୍କୁ ଧରିଥିଲେ। ତାଙ୍କ ହାତରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଟ୍ରାପ୍ ପରେ ଶ୍ରୀ ମଲ୍ଲିକଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଆୟଅନୁପାତ ଠାରୁ ଅଧିକ ସମ୍ପତ୍ତି (ଡିଏ) ଦୃଷ୍ଟିକୋଣରୁ ସମକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣା ସନ୍ଦର୍ଭରେ କଟକ ଭିଜିଲାନ୍ସ ଥାନା କେସ୍ ନଂ ୩/୨୦୨୬, ଧାରା ୭, ପିସି ଆମେଣ୍ଡମେଣ୍ଟ ଆକ୍ଟ–୨୦୧୮ ଅନୁସାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ବିସ୍ତୃତ ରିପୋର୍ଟ ପରେ ପ୍ରକାଶ ପାଇବ।

Leave A Reply

Your email address will not be published.