୧୦ ଦଫା ଦାବି ନେଇ ବଡଚଣା ବ୍ଲକ୍ କଂଗ୍ରେସର ଗଣଧାରଣା, ବିଡିଓ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଡଚଣା:(kalinga7news)୧୦ ଦଫା ଦାବି ନେଇ ବଡଚଣା ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବଡଚଣା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଛି। ବ୍ଲକ୍ କଂଗ୍ରେସ କମିଟି ସଭାପତି ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବହୁ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗଦେଇଥିଲେ।

ପ୍ରଥମେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ସହିଦ୍ ସ୍ତମ୍ଭ ନିକଟରେ ଧାରଣା ଦେଇଥିଲେ। ପରେ ବିଭିନ୍ନ ଜନସମସ୍ୟା ସମାଧାନ ଦାବିରେ ୧୦ ଦଫା ଦାବିପତ୍ର ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିମାନଙ୍କ ମଧ୍ୟରେ ବଡଚଣା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ, ଦଳମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ, ନିଆଳି ଗ୍ରାମର ମୃତ ଚାଷୀ ବିଦ୍ୟାଧର ମଲ୍ଲିକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା, ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ, ଭାଗଚାଷୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପ୍ରଦାନ, ବାଲି, ମୋରମ ଓ ମାଙ୍କଡ଼ା ପଥରର ଚୋରା ଚାଲାଣ ରୋକିବା, ବେକାରୀ ସମସ୍ୟା ଦୂର କରି ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ସମସ୍ତ ମେଡିକାଲକୁ ଆମ୍ବୁଲାନ୍ସ ଯୋଗାଇବା ସହ ଡାକ୍ତର ନିଯୁକ୍ତି ଓ ଅଞ୍ଚଳରେ ଆଇନ-ଶୃଙ୍ଖଳା ସୁଧାର କରି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଇତ୍ୟାଦି ଦାବି ସାମିଲ ରହିଥିଲା। ଏହି ଗଣଧାରଣାରେ ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପ୍ରଦେଶ କଂଗ୍ରେସ କମିଟି ପରିବେଶ କମିଟି ଆବାହକ ସୁଧାଂଶୁ ଶେଖର ଦେଓ, ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମାଗୁଣୀ ଜେନା, ଉପସଭାପତି ଅକ୍ଷୟ କୁମାର ସ୍ୱାଇଁ, ସଂପାଦକ ପ୍ରବୀର ବଳ, ସୁମନ୍ତ କୁମାର ଜେନା, ବ୍ଲକ୍ ଛାତ୍ର କଂଗ୍ରେସ ସଭାପତି ଜୟପ୍ରକାଶ ବିଶ୍ୱାଳ, ଯୁବନେତା ଚର୍ଚ୍ଚିତ ମାହାଲା ଓ ଶିଶିର କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ଦାବିଗୁଡ଼ିକ ପ୍ରତି ଗୁରୁତ୍ୱ ନ ଦେଇଥାନ୍ତି, ତେବେ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.