୧୧.୨୮ ଲକ୍ଷ ଟଙ୍କା ଅପହରଣ ଅଭିଯୋଗରେ PEO ଦିଲୀପ କୁମାର ପ୍ରଧାନ ଗିରଫ, ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ

୧୧.୨୮ ଲକ୍ଷ ଟଙ୍କା ଅପହରଣ ଅଭିଯୋଗରେ PEO ଦିଲୀପ କୁମାର ପ୍ରଧାନ ଗିରଫ, ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬ ଏପ୍ରିଲ୍ : (କଳିଙ୍ଗ ୭ ନିୟୁଜ୍ )ଓଡିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ । ସରକାରୀ ଧନ ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଧୀନ ରତନପୁର ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଦିଲୀପ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ, ଦିଲୀପ କୁମାର ପ୍ରଧାନ ତାଙ୍କର ପୂର୍ବତନ କାର୍ଯ୍ୟକାଳ (ଜାନୁଆରୀ ୨୦୨୩ ରୁ ଜୁଲାଇ ୨୦୨୪) ମଧ୍ୟରେ ବାଲିପାଟଣା ପଞ୍ଚାୟତ ସମିତିରେ କାର୍ଯ୍ୟରତ ଥିବାବେଳେ ପ୍ରାୟ ୧୧ ଲକ୍ଷ ୨୮ ହଜାର ୬୦୦ ଟଙ୍କା ସରକାରୀ ଧନ ଅପହରଣ କରିଥିବା ଅଭିଯୋଗ ଆସିଛି।ଭିଜିଲାନ୍ସ ତଦନ୍ତରେ ପ୍ରକାଶ ପାଇଛି ଯେ, ଏହି ଧନ ମଧୁବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ବୃଦ୍ଧ ଓ ଅସହାୟ ଲୋକମାନଙ୍କୁ ବଣ୍ଟନ ପାଇଁ ନିର୍ଦ୍ଧାରିତ ଥିଲା। ବିଶେଷ କରି ବାଲିଆଣ୍ଟା ବ୍ଲକ୍ ଅଧୀନ ପମ୍ପାଲୋ ଓ ରାଜସ ଗ୍ରାମପଞ୍ଚାୟତର ଲାଭୁକମାନଙ୍କ ପାଇଁ ଏହି ଧନ ଆସିଥିଲା। କିନ୍ତୁ ଏହି ଧନ ଲାଭୁକଙ୍କ ପାଖକୁ ପହଞ୍ଚିବା ପରିବର୍ତ୍ତେ ଅଭିଯୁକ୍ତ ଦିଲୀପ କୁମାର ପ୍ରଧାନ ତାହାକୁ ଅବୈଧ ଭାବେ ଆତ୍ମସାତ କରିଥିବା ତଦନ୍ତରେ ଜଣାପଡିଛି। ଏହାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୬ (ତାରିଖ ୦୬.୦୪.୨୦୨୬) ରେ Prevention of Corruption Act, 2018 ଓ BNS ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଗିରଫ ପରେ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ଥିତ ବିଶେଷ ଭିଜିଲାନ୍ସ ଅଦାଲତରେ ଉପସ୍ଥାପନ କରାଯିବାକୁ ପଠାଯାଇଛି। ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.