ବାଇକ ସହ ପୋଲ ତଳକୁ ଖସି ଦୁଇ ଗୁରୁତର
ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଡ଼ୁବୁରୀ ୫୩ ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ପୋଲ ନିକଟରେଥିବା କୁଣ୍ଡିପୋଲନିକଟରେ ଏକ ବାଇକରୁ ଖସିପଡି ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଦ୍ବୟ ହେଲେ ଏହି ଥାନା ଅନ୍ତର୍ଗତ ବାରକଣା ଗ୍ରାମର ମଳୟ ମହାରଣା ଏବଂ ସେହି ଗ୍ରାମର ଡଗରପଡ଼ାର ଲୁନା ବାରିକ । ଦୁଇ ସାଙ୍ଗ ଆଜି ସକାଳେ କାନ୍ତପଡ଼ା ପଟୁ ବ୍ରାହ୍ମଣୀ ବ୍ରିଜ ଆଡକୁ ଏକ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ କୁଣ୍ଡିପୋଲ ତଳକୁ ଖସିପଢିଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଦୁଇଜଣଙ୍କୁ ଧର୍ମଶାଳା ମେଡିକାଲ ପଠାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଲୁନାଙ୍କୁ କଟକ ବଡଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ଜଣାଯାଇଛି ଏବଂ ସେ ଗୁରୁତର ଥିବା ଜଣାପଡିଛି । ଏମଏସଆଇଏଲ ଠିକାସଂସ୍ଥାର ତୃଟିପୂର୍ଣ୍ଣ ରାସ୍ତା କାମଯୋଗୁ ଏଭଳି ଦୁର୍ଘଟଣା ହୋଇଥିବାର ଲୋକେ ଅଭିଯୋଗ କରିଛନ୍ତି ।