କାଳବୈଶାଖୀ ଝଡ଼ରେ ବଡଚଣାରେ ବିଦ୍ୟୁତ୍ ବ୍ୟବସ୍ଥା ଧ୍ୱସ୍ତ | ଖୁଣ୍ଟ ଓ ଟ୍ରାନ୍ସଫର୍ମର ଭାଙ୍ଗିଲା

କାଳବୈଶାଖୀ ଝଡ଼ରେ ଧ୍ୱସ୍ତ ବିଦ୍ୟୁତ୍ ବ୍ୟବସ୍ଥା, ଅନ୍ଧାରରେ ଗ୍ରାମବାସୀ

 

📰 କାଳବୈଶାଖୀ ଝଡ଼ରେ ଧ୍ୱସ୍ତ ବିଦ୍ୟୁତ୍ ବ୍ୟବସ୍ଥା, ଅନ୍ଧାରରେ ଗ୍ରାମବାସୀ

ବଡଚଣା, ୮ ଏପ୍ରିଲ୍ (କଳିଙ୍ଗ ୭ ନ୍ୟୁଜ୍):ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଧିନ ବିଭିନ୍ନ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀ ଝଡ଼ ଭୟଙ୍କର ତାଣ୍ଡବ ସୃଷ୍ଟି କରିଥିଲା। ତୀବ୍ର ବେଗରେ ପବନ ବହିବା ସହ କୁଆପଥର ମାଡ଼ ହେବାରୁ ବଡ ବଡ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିଲା।ସୋଲର, ବଇରୀ ଓ ଛତିଆ ଅଞ୍ଚଳରେ ଏହି ଝଡ଼ର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିଶେଷକରି ସୋଲର ପଞ୍ଚାୟତର ମୁଳିଝର ଓ ପାଖପାଖି ଗ୍ରାମଗୁଡ଼ିକରେ ବିଦ୍ୟୁତ୍ ଖୁଣ୍ଟ ସହ ଟ୍ରାନ୍ସଫର୍ମର ଭାଙ୍ଗି ପଡ଼ିଥିବା ଘଟଣା ସମ୍ମୁଖୀନ ହୋଇଛି। ଏହା ସହିତ କେତେକ ଆଜବେଷ୍ଟସ ଘର ମଧ୍ୟ ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଝଡ଼ ପରେ ବୁଧବାର ଅପରାହ୍ନ ପ୍ରାୟ ୩ଟାଠାରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଫଳରେ ଗ୍ରାମବାସୀମାନେ ଅନ୍ଧାରରେ ଦିନ କାଟୁଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ବିଦ୍ୟୁତ୍ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ଯଥାପ୍ରକାରେ ଗଭୀର ଭାବରେ ପୋତାଯାଉନଥିବାରୁ ସାମାନ୍ୟ ପବନରେ ମଧ୍ୟ ଏହା ଭାଙ୍ଗି ପଡ଼ୁଛି। କେତେକ ସ୍ଥାନରେ ମାତ୍ର ଛଅ ଇଞ୍ଚ ମାଟି ଭିତରେ ଖୁଣ୍ଟ ପୋତାଯାଇଥିବା ଅଭିଯୋଗ ମଧ୍ୟ ଆସିଛି।ଘଟଣା ସମ୍ପର୍କରେ ଖବର ପାଇ ଛତିଆ ବିଦ୍ୟୁତ୍ ସେକ୍ସନର କର୍ମଚାରୀମାନେ ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସମ୍ପର୍କିତ ଅଧିକାରୀ ଶ୍ରୀ ଶତପଥୀ କହିଛନ୍ତି ଯେ, ଯଥାଶୀଘ୍ର ବିଦ୍ୟୁତ୍ ସେବା ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ଘଟଣା ପୁଣିଥରେ ଗ୍ରାମୀଣ ଅଞ୍ଚଳର ବିଦ୍ୟୁତ୍ ବ୍ୟବସ୍ଥାର ଦୁରବସ୍ଥାକୁ ସାମ୍ନାକୁ ଆଣିଛି।

Leave A Reply

Your email address will not be published.