ଭାଲୁ ହତ୍ୟା ଘଟଣାରେ ଯୁବକ ଗିରଫ, ଜାମିନ ନାମଞ୍ଜୁର
ବଡ଼ଚଣା, (କଳିଙ୍ଗ ୭ ନିୟୁଜ୍ )୨୩ ଏପ୍ରିଲଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ଡାଲିଯୋଡ଼ା ବନାଞ୍ଚଳ ଉପଖଣ୍ଡର କାଇମାଟିଆ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଘଟିଥିବା ଭାଲୁ ମୃତ୍ୟୁ ଘଟଣାର ପରଦାଫାଶ କରିଛି ବନ ବିଭାଗ। ଗତ ମଙ୍ଗଳବାର ବୈରୀ ଡାଲିଯୋଡ଼ା ରେଞ୍ଜ ଅଧୀନ ଗୋପାଳପୁର ଜଙ୍ଗଲରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଭାଲୁଟି ବିଷ ମିଶ୍ରିତ ଖାଦ୍ୟ ଖାଇ ମୃତ୍ୟୁ ବରଣ କରିଛି। ଏହା ପରେ ଏସିଏଫ୍ ରବି ନାରାୟଣ ମହାନ୍ତି ଓ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣଙ୍କୁ ପଚରାଉଥିବା ବେଳେ ଘଟଣାର ସତ୍ୟତା ପ୍ରକାଶ ପାଇଥିଲା। ଏହି ଘଟଣାରେ କାଇମାଟିଆ ପଞ୍ଚାୟତ ଅନ୍ତର୍ଗତ ନଳିଦା ଗ୍ରାମର ତପନ ଲେଙ୍କାଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଧାରା ୯, ୩୯, ୪୪, ୪୮, ୫୧, ୫୨ ଓ ୫୫ ଅନୁଯାୟୀ ମାମଲା ରୁଜୁ ହୋଇଛି।ଆଜି ତପନ ଲେଙ୍କାଙ୍କୁ ଚଣ୍ଡିଖୋଲ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ନେଇ ପୁନର୍ବାର ପ୍ରଶ୍ନ ଉଠିଛି।