ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତିମାସରେ ମିଳିବ ମୁଣ୍ଡପିଛା ୧୦ କିଲୋ ଚାଉଳ

ରାଜ୍ୟରୁ କ୍ଷୁଧା ନିବାରଣ ସହ ସୁନିଶ୍ଚିତ ହେବ ଖାଦ୍ୟ ସୁରକ୍ଷା

ଜିଲ୍ଲାସ୍ତରୀୟ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ; ଏଣିକି କେହି ଭୋକିଲା ଶୋଇବେନି, ଦୂର ହେବ ଖାଦ୍ୟ ସମସ୍ୟା

— ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତିମାସରେ ମିଳିବ ମୁଣ୍ଡପିଛା ୧୦ କିଲୋ ଚାଉଳ

— ରାଜ୍ୟରୁ କ୍ଷୁଧା ନିବାରଣ ସହ ସୁନିଶ୍ଚିତ ହେବ ଖାଦ୍ୟ ସୁରକ୍ଷା

— ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଖୁସି ବ୍ୟକ୍ତ କଲେ ହିତାଧିକାରୀ

— ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଜିଲ୍ଲାବାସୀ

— ‘ପୋଷଣ ଯୋଜନା’ ଅଧୀନରେ ଅଙ୍ଗନୱାଡ଼ି କର୍ମଚାରୀ, ସୁପରଭାଇଜରମାନଙ୍କୁ ସ୍ମାର୍ଟଫୋନ ବଣ୍ଟନ

ଯାଜପୁର, ୧୨/୦୬/୨୬: ରାଜ୍ୟରେ ନୂତନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା, ଓଡ଼ିଶା ସାରା”  କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ଅବସରରେ ରାଜ୍ୟରୁ କ୍ଷୁଧା ନିବାରଣ ଏବଂ ପ୍ରତ୍ୟେକ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଜି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ ହୋଇଛି। ଯାଜପୁରରେ ସଂସ୍କୃତି ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଗଣ ଏବଂ ଜନସାଧାରଣ ଯୋଗ ଦେଇଥିଲେ।
ଏହି ଯୋଜନାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମାସିକ ମୁଣ୍ଡପିଛା ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରାଯିବ। ପୂର୍ବରୁ କେବଳ ୫ କିଲୋ ଚାଉଳ ମିଳୁଥିବା ବେଳେ ଏଣିକି ଏପ୍ରିଲ ୨୦୨୬ ରୁ ପ୍ରତି ମାସରେ ମୁଣ୍ଡପିଛା ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ ମାସିକ ହିତାଧିକାରୀ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ବଣ୍ଟନ କରାଯିବ। ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ ଯେ, ଦାରିଦ୍ର୍ୟ ଓ କ୍ଷୁଧା ଦୂରୀକରଣ ଦିଗରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏକ ମାଇଲଖୁଣ୍ଟ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ସରକାର ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟି ସୁନିଶ୍ଚିତ କରିଛନ୍ତି ବୋଲି ସାଂସଦ କହିଛନ୍ତି।

ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହ ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ଅଙ୍ଗନୱାଡ଼ି କର୍ମଚାରୀ, ସୁପରଭାଇଜରମାନଙ୍କୁ ସଶକ୍ତ ଓ ଡିଜିଟାଲ୍ ଦୁନିଆ ସହ ଯୋଡ଼ିବା ପାଇଁ ୧୦ ଟି ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ଗତ ଦୁଇ ବର୍ଷରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ସଫଳତାକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟରୀ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ଯାଜପୁର ଜିଲ୍ଲାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀମାନେ ମଧ୍ୟ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଅତିରିକ୍ତ ୫ କେଜି ଚାଉଳ ମିଳିବାକୁ ନେଇ ସେମାନେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ମାର୍କେଟ ଇନ୍ସପେକ୍ଟର, ସମାଜସେବୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.