ଭକ୍ତି ଓ ଉତ୍ସବରେ ଝୁମିଲା ବିଂଝାରପୁର” ପୂଜା ମଣ୍ଡପ ବୁଲିଲେ ବବିତା ଓ ନିରଂଜନ
ବିଂଝାରପୁର, ୧୪|୯ (ତ୍ରିଷା ଖବର): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଗଣେଶ ପୂଜା ଭକ୍ତିମୟ ଓ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଛି। ସିଂହପୁର, ଜରି, ଫଳପୁର, ବାଙ୍ଗରା, ବିଂଝାରପୁର, ସୟଦପୁର, ମଲିଆ, ଶାସନ୍ଦା, ବରପଦା ସମେତ ବିଭିନ୍ନ ଗ୍ରାମରେ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବବିତା ମଲ୍ଲିକ ଓ ବରିଷ୍ଠ ବିଜେପି ନେତା ନିରଂଜନ ବେଉରିଆ ବିଂଝାରପୁରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ଶ୍ରୀଗଣେଶଙ୍କ ଦର୍ଶନ କରିଥିଲେ। ସେମାନେ ପୂଜା କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୂଜାର ସୁଚାରୁ ଆୟୋଜନ ପାଇଁ କମିଟି ଓ ଯୁବକମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳା କରାଯାଇଥିବାବେଳେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଯଥାବିଧି ପୂଜାର୍ଚ୍ଚନା, ହୋମଯଜ୍ଞ, ଆଳତି ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଘଣ୍ଟ ଓ ଶଙ୍ଖଧ୍ୱନିରେ ବିଭିନ୍ନ ମଣ୍ଡପର ପରିବେଶ ଭକ୍ତିମୟ ହୋଇଉଠିଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉତ୍ସାହରେ ଗଣେଶ ପୂଜା ପାଳିତ ହୋଇଥିଲା। ପୂଜା ଆୟୋଜନରେ ଯୁବକମାନେ ସକ୍ରିୟ ଭାବେ ସାମିଲ ହୋଇ ମଣ୍ଡପ ସଜାସଜ୍ଜା, ପୂଜା ପରିଚାଳନା ଓ ପ୍ରସାଦ ବଣ୍ଟନ ଆଦି ଦାୟିତ୍ୱ ତୁଲାଇଥିଲେ। ଗଣେଶ ପୂଜାକୁ ନେଇ ବିଭିନ୍ନ ଗ୍ରାମରେ ବରିଷ୍ଠ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଓ ଛୋଟ ପିଲାଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପୂଜା କମିଟି ଓ ଗ୍ରାମବାସୀଙ୍କ ସାମୂହିକ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଛି। ଏହି ପର୍ବ ଗ୍ରାମାଞ୍ଚଳରେ ଧାର୍ମିକ ଆସ୍ଥା ସହ ଭାଇଚାରା ଓ ସାମାଜିକ ଏକତାକୁ ଆହୁରି ମଜବୁତ କରିଥିବା ଦେଖିବାକୁ ମିଳିଛି।