ଯାଜପୁର, ୧୬/୦୮ ଭୋକର ଭୂଗୋଳ, ଅପପୃଷ୍ଟିର ଇଲାକା ସାକି ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ନଗଡ଼ାରେ ଧୁମୁଧାମରେ ପାଳିତ ହେଲା ୭୯ ତମ ସାଧୀନତା ଦିବସ । ପାହାଡ ଶୀର୍ଷରେ ଥିବା ଏହି ଚିର ଅବହେଳିତ ଗ୍ରାମରେ ଲୋକେ ସ୍ୱାଧୀନତା ଅର୍ଥ ବୁଝି ନ ଥିଲେ । ସାଧୀନତା ଦିବସରେ ବହୁ ସଂଖ୍ୟାରେ ବନବାସୀ ଜାତୀୟ ପତାକା ତଳେ ଏକାଠି ହୋଇ ବହୁ ବଳୀଦାନ ଓ ତ୍ୟାଗରେ ମିଳିଥିବା ସ୍ଵାଧୀନତାର ମହତ୍ଵକୁ ବୁଝିଥିଲେ । ଜାତୀୟ ପତାକା ତଳେ ଏହି ବନବାସୀଙ୍କ ଆନନ୍ଦ ଏବଂ ଭାରତମାତା କୀ ଜୟ ଧ୍ଵନୀରେ ପାହାଡ ପର୍ବତର ବସୁଜିମା ପରିବେଶ ପ୍ରକମ୍ପିତ ହୋଇଥିଲା । ହେଲେ ସରକାର ପରିବର୍ତନ ପରେ ବି ଏଠାରେ ବିକାଶ ଅପହଞ୍ଚ ପ୍ରସଙ୍ଗ ନେଇ ଜାତୀୟ ପତାକା ତଳୁ ତେଜିଥିଲା ଅସନ୍ତୋଷ ।ମିଶନ ଜ୍ୟୋତି ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ରାଜ୍ୟର ପାହାଡ ପର୍ବତ ସୁରକ୍ଷା ଓ ଦୁଃଖୀ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁଥିବା ବରିଷ୍ଠ ସମାଜସେବୀ ସତୀଶ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପାତାକା ଉତୋଳନ କରିଥିଲେ । ପଛରେ ପଡି ଯାଇଥବା ମଣିଷଙ୍କୁ ବିକାଶର ଧାରାରେ ସାମିଲ କରିବା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶ ସ୍ୱାଧୀନତାର ମୂଳ ଲକ୍ଷ ଥିଲା । ହେଲେ ସାଧୀନତାର ୭୯ ବର୍ଷ ପରେ ବି ନଗଡ଼ା ପରି ଗାଁ ସ୍ୱାଧୀନତାର ଏହି ଲକ୍ଷ କ୍ଷେତ୍ରରେ ବଡ ପ୍ରଶ୍ନବାଚୀ ହୋଇଛି । ପାନୀୟ ଜଳ ତ ଦୂରର କଥା ଶୌଚ ଉପଯୋଗୀ ପାଣି ନଥିବାରୁ ସେମାନଙ୍କ ଦେହସାରା ଘାଆ ହୋଇଯିବା ଭଳି ପରିସ୍ଥିତି ଆମ ବ୍ୟବସ୍ଥାକୁ ଉପହାସ କରୁଛି। ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତି ଉଭୟ ଆଦିବାସୀ ହୋଇଥିବା ବେଳେ ଏଠାରେ ଆଦିବାସୀ ମାନେ ଦୟନୀୟ ଜୀବନ ବିତାଉଛନ୍ତି । ଏହି ଲୋକମାନେ ପାହାଡ ତଳକୁ ଯିବାକୁ ସମ୍ମତି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଆମ ଜରିଆରେ ପତ୍ର ଦେଇଥିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ । ଏଥିରେ କବି ତଥା ଲେଖୀକା ଡ.ଚନ୍ଦ୍ରକଳା ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଅନ୍ଧାର ପାଇଁ ଆଲୋକ କିମ୍ବା ଭୋକିଲାକୁ ଖାଦ୍ୟ ପ୍ରଦାନ ଜନମଙ୍ଗଳ ରାଷ୍ଟ୍ର ସରକାରର ଦାୟୀତ୍ଵ । ଏଥିପାଇଁ ସରକାର ପ୍ରତ୍ୟେକ କ୍ଷେତ୍ରରେ ନଗଡ଼ାକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ। ମିଶନ ନଗଡ଼ାର ମୁଖ୍ୟ ରଶ୍ମିଲତା ବଳ ଉତ୍ସବରେ ଅଧକ୍ଷତା କରି କହିଥିଲେ ଯେ, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଅତୀତରେ ବି.ଜେ.ଡି ସରକାରରେ ନଗଡ଼ାର ଚରମ ଅବହେଳାକୁ ପ୍ରସଙ୍ଗ କରିବା ସହ ତାଙ୍କ ସରକାର ନଗଡାର ବିକାଶକୁ ଗୁରୁତ୍ବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ଅଦ୍ୟାବଧ ନଗତା ପାଇଁ କୌଣସି ବିକାଶ ହୋଇ ପାରିନାହିଁ । ଡାକ୍ତର ଦିପ୍ତି ରଂଜନ କର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସେଚ୍ଛାସେବୀ ମାନସ,ରୁନି, ନିଗମ, ସତ୍ୟଜିତ, ଅଂଜଳୀ, ଅନୀତା, ସୁବ୍ରତ ପ୍ରମୁଖ ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସବ୍ୟସାଚୀ ସାହୁ ଅତିଥି ପରିଚୟ, ରାଜୀବ ଲୋଚନ ମହାପାତ୍ର ସ୍ୱାଗତ ଭାଷଣ ଓ ମେଘନାଦ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଆଦିବାସୀ ଶିଶୁ ମାନଙ୍କୁ ଖାତା, କଲମ, ବର୍ଣ୍ଣବୋଧ ବହି, ମହିଳା ମାନଙ୍କୁ ଶାଢୀ, ସାସ୍ଥ୍ୟ ଶିବିରରେ ରୋଗୀସେବା ଓ ଔଷଧ ପ୍ରଦାନ ତତ ସହ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.

