ବିଜେପି ନେତା ପୀତବାସ ପଣ୍ଡା ଗୁଳିମାଡ଼ରେ ମୃତ, ବ୍ରହ୍ମନଗରରେ ଗୁଳିମାଡ଼ କରିଥିଲେ 2 ଦୁର୍ବୃତ୍ତ
ଗୁରୁତର ଅବସ୍ଥାରେ ପୀତବାସ ପଣ୍ଡାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା ।
ବ୍ରହ୍ମପୁର: ରକ୍ତରଞ୍ଜିିତ ହୋଇଛି ବ୍ରହ୍ମପୁର । ଘର ନିକଟ ଜନଗହଳି ପୂର୍ଣ୍ଣ ଛକରେ ବିଜେପି ନେତାଙ୍କ ଉପରକୁ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା ମୃତ । ବିଜେପି ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକ ନିକଟରେ ଗୁଳିମାଡ଼ କରିଛନ୍ତି ୨ ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ରାଜ୍ୟ ଆଇନ୍ଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା ଖବର ପ୍ରଚାର ହେବା ପରେ ଖାଲି ବ୍ରହ୍ମପୁର ନୁହେଁ, ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।
ବ୍ରହ୍ମନଗରରେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ-
ରାତି ପ୍ରାୟ ୧୦ଟାରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକଲରେ ଆସିଥିଲେ । ଏହି ସମୟରେ ଆଇନଜୀବୀ ପୀତବାସ ତାଙ୍କ ସ୍କୁଟିରେ ବୈକୁଣ୍ଠନଗର ସ୍ଥିତ ଘରକୁ ଫେରୁଥିଲେ । ହେଲେ ଘରେ ପାଖରେ ବୈକୁଣ୍ଠନଗର ଛକ ନିକଟରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଚାଲି ଯାଇଥିଲେ। ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲେ ଏବଂ ଗୁଳି ସିଧା ପୀତବାସଙ୍କ ଛାତିରେ ବାଜିଥିଲା । ଗୁଳିମାଡ କରିବା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ ।
ସ୍ଥାନୀୟ କିଛି ଯୁବକ ପୀତବାସଙ୍କୁ ତୁରନ୍ତ ସେହି ସ୍କୁଟିରେ ଡାକ୍ତରଖାନା ନେଇଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳିମାଡ କଲା ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଏମକେଏସଜିରେ ଶବ ବ୍ୟବଚ୍ଛେଦ କରିଥିବା ଏଫ୍.ଏମ୍.ଟି ବିଭାଗୀୟ ମୁଖ୍ୟ ପ୍ରଫେସର ସୁଦୀପା ଦାଶ କହିଛନ୍ତି, ଡାକ୍ତରଖାନାକୁ ଆସିବା ପରେ ଆମେ ତୁରନ୍ତ ତାଙ୍କର ବାୟୋପ୍ସି ଟେଷ୍ଟ କରିଥିଲୁ । ଟେଷ୍ଟ ପରେ ଏକ ମେଟାଲ ପାଇଥିଲୁ । ତାଙ୍କ ଡାହାଣପଟ ଛାତିର ଉପରପଟେ ଏହା ବାଜିଥିଲା । ଅତ୍ୟଧିକ ରକ୍ତପାତ ହେଇଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା । ପିତବାସ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ସାମିଲ ହୋଇଥିଲେ । ଏପରିକି ସେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଶୋକ ପ୍ରକାଶ କଲେ ବିଜେପି ନେତା- ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଜେପି ନେତା ଓ କର୍ମୀମାନେ ବ୍ରଦ୍ମପୁରରେ ପହଞ୍ଚିଛନ୍ତି । ଏହି ଘଟଣା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ଏହି ଘଟଣାକୁ ଯେତେ ନିନ୍ଦା କଲେ ବି କମ ହେବ । ପୀତବାସ ଲୋକଙ୍କର ନେତା ଥିଲେ ଓ ସେ ଲୋକଙ୍କ ପାଇଁ ଲଢୁଥିଲେ । ଅନ୍ୟାୟ କଥାରେ ସେ କାହା ସହ ସାଲିସ କରୁ ନ ଥିଲେ ।

Sign in
Sign in
Recover your password.
A password will be e-mailed to you.