ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗର ଜେଇ ଘୁଷ ନେଇ ଭିଜିଲାନ୍ସ ଜାଲରେ

ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗର ଜେଇ ଘୁଷ ନେଇ ଭିଜିଲାନ୍ସ ଜାଲରେ

ନୟାଗଡ଼, ୧୭/୦୫ : ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ (RW) ସେକ୍ସନର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ଘୁଷ ନେଉଥିବା ବେଳେ ଗିରଫ କରିଛି। ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅଧୀନରେ ୨୦୨୧-୨୨ ମସିହାରେ ଖଣ୍ଡପଡ଼ା ଅଞ୍ଚଳରେ ହୋଇଥିବା ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କାମର ବିଲ୍ ପାସ୍ କରିବା ସହ ସୁରକ୍ଷା ଜମା ରାଶି ଫେରତ ପାଇଁ ଜେଇ କେଶବ ସୁବୁଦ୍ଧି ଜଣେ ଠିକାଦାରଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ଦାବି କରିଥିଲେ। ଠିକାଦାର ଗତ ୩ରୁ ୪ ମାସ ଧରି ରକ୍ଷଣାବେକ୍ଷଣ କାମ ସମାପ୍ତ ହେବା ପରେ ମାପ ନେବା ଓ ସୁରକ୍ଷା ଜମା ଟଙ୍କା ଫେରତ ପାଇଁ ଜେଇଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ଜେଇ ଘୁଷ ନ ଦେଲେ କାମ କରିବେ ନାହିଁ ବୋଲି କହିଥିଲେ। ଏହାରେ ଅତିଷ୍ଠ ହୋଇ ଠିକାଦାର ଭିଜିଲାନ୍ସର ଶରଣାପନ୍ନ ହୋଇଥିଲେ। ଆଜି ଜେଇ କେଶବ ସୁବୁଦ୍ଧି ଠିକାଦାରଙ୍କୁ ଖଣ୍ଡପଡ଼ାସ୍ଥିତ ନିଜ ସରକାରୀ କ୍ୱାର୍ଟରକୁ ଡାକିଥିଲେ ଏବଂ ଘୁଷ ଟଙ୍କା ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହଙ୍କୁ ଦେବାକୁ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଓଡ଼ିଶା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଉଭୟଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ନେଉଥିବା ବେଳେ ଧରିଥିଲା। ଘଟଣାସ୍ଥଳରୁ ସମସ୍ତ ଟଙ୍କା ଜବତ କରାଯାଇଛି। ଘଟଣା ପରେ ଜେଇ କେଶବ ସୁବୁଦ୍ଧିଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ନେଇ ଚଢ଼ାଉ ଚାଲିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ପି.ସି. ଆକ୍ଟ ୨୦୧୮ ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.