ଜମି ବିବାଦ ମାମଲା ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ଭୟରେ ୫ ହଜାର ଟଙ୍କା ସହ ଫେରାର ହେଲେ ଏଏସଆଇ, ମାମଲା ରୁଜୁ କଲା ଭିଜିଲାନ୍ସ

ଜମି ବିବାଦ ମାମଲା ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ଭୟରେ ୫ ହଜାର ଟଙ୍କା ସହ ଫେରାର ହେଲେ ଏଏସଆଇ, ମାମଲା ରୁଜୁ କଲା ଭିଜିଲାନ୍ସ

ଭୁବନେଶ୍ୱର/ଖୋର୍ଦ୍ଧା, ୧୧ ଜୁଲାଇ: ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ଅକ୍ଷୟ କୁମାର ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ମାମଲା ରୁଜୁ କରିଛି। ଜମି ବିବାଦ ସମ୍ପର୍କିତ ଦୁଇଟି ମାମଲାକୁ ଥାନା ସ୍ତରରେ ଚୂଡ଼ାନ୍ତ କରିବା ପାଇଁ ସେ ଉଭୟ ପକ୍ଷଙ୍କଠାରୁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ୫ ଜୁଲାଇରେ ଜମି ବିବାଦକୁ କେନ୍ଦ୍ର କରି ଅଭିଯୋଗକାରୀ ଓ ବିପକ୍ଷ ପକ୍ଷ ପରସ୍ପର ବିରୋଧରେ ନାଚୁଣି ଥାନାରେ ମାମଲା ରୁଜୁ କରିଥିଲେ। ଏହି ଦୁଇଟି ମାମଲାର ତଦନ୍ତ ଦାୟିତ୍ୱ ଏଏସଆଇ ଅକ୍ଷୟ କୁମାର ସେଠୀଙ୍କ ଉପରେ ଥିଲା। ସେହି ଦିନ ସନ୍ଧ୍ୟାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଉଭୟ ପକ୍ଷଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ, ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଓଡ଼ିଶା ବାହାରେ କାର୍ଯ୍ୟରତ ଥିବାରୁ ଶୀଘ୍ର ମାମଲାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏହାପରେ ଏଏସଆଇ ସେଠୀ ୧୦ ଜୁଲାଇରେ ଏକ ଶପଥପତ୍ର ସହ ୫ ହଜାର ଟଙ୍କା ଆଣିବାକୁ କହିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ଫାନ୍ଦ ପକାଇ ନଜର ରଖିଥିଲା। ଏଏସଆଇ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଏକ ନିଛାଟିଆ ଅନ୍ଧାର ସ୍ଥାନରୁ ନିଜ ମୋଟରସାଇକେଲରେ ଲାଞ୍ଚ ଟଙ୍କା ସହ ଫେରାର ହୋଇଯାଇଥିଲେ। ଘଟଣା ପରେ ନାଚୁଣି ଥାନା ପୁଲିସର ଉପସ୍ଥିତିରେ ଅଭିଯୁକ୍ତ ଏଏସଆଇଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ କେସ୍ ନଂ–୧୬, ତାରିଖ ୧୦.୦୭.୨୦୨୬ ରେ ମାମଲା ରୁଜୁ କରାଯାଇଛି। ଫେରାର ଏଏସଆଇଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସର ପ୍ରୟାସ ରହିଛି

Leave A Reply

Your email address will not be published.