କୋକସରାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଳାହାଣ୍ଡି (,ପ୍ରଦିପ ସେଠି ଆ)

କୋକସରାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

୨୦୦ରୁ ଅଧିକ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ବଣ୍ଟନ ହେଲା ପ୍ରମାଣପତ୍ର ଓ ସହାୟକ ଉପକରଣ

କଳାହାଣ୍ଡି (,ପ୍ରଦିପ ସେଠି ଆ), କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଆରମ୍ଭରେ ଉପସ୍ଥିତ ଅତିଥିମାନେ ସନ୍ଥକବି ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କୋକସରା ବିଡିଓ ଡ଼. ହିମାଞ୍ଚଳ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ତ୍ରିନାଥ ଶବର ମୁଖ୍ୟ ଅତିଥି, ସମିତି ସଭ୍ୟ ସଂଘ ସମ୍ପାଦକ ଗଜାନନ ନିଆଳ ମୁଖ୍ୟବକ୍ତା ଏବଂ ଡିଡିଆରସି ଅଧିକାରୀ ଓ ଧର୍ମଗଡ଼ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପ୍ରଚଳିତ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବା ସହ ଏହାର ସୁବିଧା ନେବାକୁ ଆହ୍ୱାନ ଦେଇଥିଲେ।
ଶିବିରରେ ବ୍ଲକର ୨୨ଟି ପଞ୍ଚାୟତରୁ ଆସିଥିବା ୨୦୦ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ପଞ୍ଜିକରଣ କରାଯିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରଙ୍କ ସୁପାରିସ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତ୍ତା, ଟ୍ରାଇ ସାଇକେଲ, ହ୍ୱିଲ୍‌ଚେୟାର ଓ ଅନ୍ୟାନ୍ୟ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।
ପିଇଓ ଜାଫେଦ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ବିଏସଏସଓ ଲୋକନାଥ ଭାଟିଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଭିନ୍ନକ୍ଷମଙ୍କୁ ସରକାରୀ ସେବା ଓ ସୁବିଧା ସହଜରେ ପହଞ୍ଚାଇବା ଦିଗରେ ଏଭଳି ଶିବିର ବେଶ୍‌ ଉପଯୋଗୀ ବୋଲି ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.