ମଞ୍ଚେଶ୍ୱରରେ ଭାରତୀୟ ମଜଦୁର ସଂଘର ୭୨ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୨୩ ଜୁଲାଇ: ଇଷ୍ଟ କୋଷ୍ଟ ରେଲୱେ ମଜଦୁର ସଂଘ ର ମଞ୍ଚେଶ୍ୱର କାରଖାନା ମଣ୍ଡଳ ପକ୍ଷରୁ ଭାରତୀୟ ମଜଦୁର ସଂଘ(ବିଏମ୍ଏସ)ର ୭୨ତମ ପ୍ରତିଷ୍ଠା ଦିବସ ଗୁରୁବାର ସନ୍ଧ୍ୟା ୭ଟାରେ ମଞ୍ଚେଶ୍ୱରସ୍ଥିତ ସ୍କାଉଟ୍ ଓ ଗାଇଡ୍ ହଲ୍ରେ ଉତ୍ସାହ ଓ ଗରିମାର ସହ ପାଳନ କରାଯାଇଥିଲା ମଞ୍ଚେଶ୍ୱର କାରଖାନା ମଣ୍ଡଳର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସଭାପତିତ୍ୱ କରିଥିଲେ। ପୂର୍ବତଟ ରେଳବାଇ ମଜଦୁର ସଂଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିଲୋଚନ ସାହୁ ମୁଖ୍ୟ ଅତିଥି ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ସେଲ୍ର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ମଣ୍ଡଳ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଉପଦା ରମଣା ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର(ଜେଡ୍ଆରୟୁସିସି) ସଦସ୍ୟ ଶ୍ରୀ କଳିଙ୍ଗ ଚରଣ ପାଣିଗ୍ରାହୀ, ବିଜେପି ମଣ୍ଡଳ ସଭାପତି ଶ୍ରୀ ବିଭୂତି ଭୂଷଣ ମହାପାତ୍ର ଏବଂ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଦାସ, ଇଷ୍ଟ କୋଷ୍ଟ ରେଲୱେ ମଜଦୂର ସଂଘର ଜୋନାଲ ଉପ ସଭାପତି ଶ୍ରୀ ତପନ କୁମାର ଦାସ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଚନ୍ଦ୍ରଶେଖର ଭାଗ ସଂଘ ଚାଳକ ଶ୍ରୀ ସୁକାନ୍ତ କୁମାର ଦାସ, ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚେଶ୍ୱର କାରଖାନା ମଣ୍ଡଳର ୨୭ ଜଣ କାର୍ଯ୍ୟକର୍ତ୍ତା ଉତ୍ସାହର ସହ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ୧୯୫୫ ମସିହା ଜୁଲାଇ ୨୩ ତାରିଖରେ ଦତ୍ତୋପନ୍ତ ଠେଙ୍ଗଡ଼ୀଙ୍କ ନେତୃତ୍ୱରେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ହୋଇଥିଲା। ସ୍ଥାପନା ଦିନଠାରୁ ବିଏମ୍ଏସ କୌଣସି ରାଜନୈତିକ ଦଳର ଅନୁଗାମୀ ନ ହୋଇ ‘ରାଷ୍ଟ୍ର ହିତ – ଉଦ୍ୟୋଗ ହିତ – ଶ୍ରମିକ ହିତ’ ମୂଳମନ୍ତ୍ରକୁ ଆଧାର କରି ଶ୍ରମିକ ସ୍ୱାର୍ଥ, ଶିଳ୍ପର ବିକାଶ ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ସେ କହିଥିଲେ ଯେ, ଅଧିକାର ସହିତ କର୍ତ୍ତବ୍ୟବୋଧକୁ ସମାନ ଗୁରୁତ୍ୱ ଦେବା ହେଉଛି (ବିଏମ୍ଏସ) ର ବିଶେଷତ୍ୱ। ଅନ୍ୟାନ୍ୟ ଟ୍ରେଡ୍ ୟୁନିଅନ୍ ତୁଳନାରେ ବିଏମ୍ଏସ ସଂଘର୍ଷ ସହ ସମନ୍ୱୟର ନୀତିକୁ ଅନୁସରଣ କରି ଶ୍ରମିକଙ୍କ କଲ୍ୟାଣ ଓ ଦେଶର ଅଗ୍ରଗତିକୁ ସମାନ ଗୁରୁତ୍ୱ ଦେଇଥାଏ। ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ।ମୁଖ୍ୟ ଅତିଥି ଶ୍ରୀ ତ୍ରିଲୋଚନ ସାହୁ ତାଙ୍କ ବକ୍ତବ୍ୟରେ ଭାରତୀୟ ମଜଦୁର ସଂଘର ୭୨ ବର୍ଷର ଗୌରବମୟ ଯାତ୍ରା, ସଂଗଠନର କ୍ରମବର୍ଦ୍ଧିଷ୍ଣୁ ବିକାଶ ଏବଂ ବର୍ତ୍ତମାନ ଦେଶର ସର୍ବବୃହତ ଶ୍ରମିକ ସଂଗଠନ ଭାବେ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଶ୍ରମିକଙ୍କ ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ଦରମା, ସେବା ସର୍ତ୍ତର ଉନ୍ନତି ଓ ଶ୍ରମିକଙ୍କ ସମ୍ମାନ ରକ୍ଷା ପାଇଁ ବିଏମ୍ଏସ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ସେ ମଞ୍ଚେଶ୍ୱର କାରଖାନାର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନର ଆଦର୍ଶକୁ ଘରେ ଘରେ ପହଞ୍ଚାଇବା, ନୂତନ ସଦସ୍ୟ ସଂଗ୍ରହ କରିବା ଏବଂ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।ଶେଷରେ ମଣ୍ଡଳ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସମସ୍ତ ଅତିଥି, କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।