କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କଲେ ଏନଏଚଆରସି ଟିମ୍*

କୋର୍ ସାନିଟେସନ୍ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା

କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କଲେ ଏନଏଚଆରସି ଟିମ୍*

_• କୋର୍ ସାନିଟେସନ୍ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା_
_• ଭାଣପୁର ବିଆରସି କେନ୍ଦ୍ରରେ ଅନ୍ତେବାସୀଙ୍କୁ ଭେଟି ବୁଝିଲେ ଭଲମନ୍ଦ_
_• ଏନଏଚଆରସିଙ୍କ ଗାଇଡଲାଇନ୍ ପାଳନ ହେଉଛି କି ନାହିଁ କଲେ ଅନୁଧ୍ୟାନ_

*କଟକ, ୨୮ ଜୁଲାଇ ୨୦୨୬:* ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ଦେବେନ୍ଦ୍ର ସିଂହ ଧାପୋଲା ଆଜି ଦିନିକିଆ କଟକ ଗସ୍ତରେ ଆସି କଟକ ମହାନଗର ନିଗମ ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ସେ ତୃଣମୂଳସ୍ତରରେ କର୍ମଚାରୀମାନଙ୍କୁ ସାକ୍ଷାତ କରି ସିଧାସଳଖ ସେମାନଙ୍କର ମତାମତ ନେଇଥିଲେ। ବାଦାମବାଡ଼ି ସ୍ଥିତ ବିକାଶ ଭବନ ପରିସରରେ ଗରିମା ଯୋଜନା ଅନ୍ତର୍ଗତ କୋର୍ ସାନିଟେସନ୍ କର୍ମଚାରୀଙ୍କୁ, ଏନଏଚଆରସିର ସଦସ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (PPE)ର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ସେହିପରି ପରିମଳ କର୍ମଚାରୀମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେହିପରି ଭାଣପୁରଠାରେ ଥିବା ବେଗର ରିହାବିଲିଟେସନ୍ କେନ୍ଦ୍ର ବା ଆନନ୍ଦାଳୟ ସେ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ସେ ପଚାରି ବୁଝିଥିଲେ। ଏହାସହିତ ମାନବାଧିକାର ଆୟୋଗଙ୍କର ରହିଥିବା ଗାଇଡଲାଇନକୁ ଠିକ୍ ଭାବେ କେଏମସି ଅଧୀନରେ ପାଳନ କରାଯାଉଛି କି ନାହିଁ ତାହା ମଧ୍ୟ ବୁଝିଥିଲେ ଏନଏଚଆରସି ଟିମ୍। ଏନଏଚଆରସି ଟିମ କଟକରେ ପହଞ୍ଚିବା ପରେ ସର୍କିଟ୍ ହାଉସ ପରିସରରେ କେଏମସିର ଅତିରିକ୍ତ କମିଶନର ଶ୍ରୀ କଳ୍ପତରୁ ବେହେରା ସେମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ବିଜୁ ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଏମସିର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା କିଭଳି କେଏମସି ଅଞ୍ଚଳରେ ଲାଗୁ କରାଯାଉଛି ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଆୟୋଗର ସଦସ୍ୟଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ଏହି ଗସ୍ତ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଧୁଭୂଷଣ କୁନ୍ତୀ, ଶ୍ରମ ବିଭାଗର ଅତିରିକ୍ତ ସଚିବ ଧୀରେନ୍ଦ୍ରନାଥ କର, ଅତିରିକ୍ତ ଶ୍ରମ ଆୟୁକ୍ତ ଘାଷିରାମ ଟୁଡୁ, ଭୁବନେଶ୍ୱର ଓ କଟକର ଯୁଗ୍ମ ଶ୍ରମ ଆୟୁକ୍ତ, କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ, ଓ୍ୱାଟକୋ, କେଏମସିର ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.