ବର୍ଷା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ବିନ୍ଦୁମିନା ସେବା ଫାଉଣ୍ଡେସନ

କଳାହାଣ୍ଡି ରୁ ପ୍ରଦିପ ସେଠୀଆ

ବର୍ଷା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ବିନ୍ଦୁମିନା ସେବା ଫାଉଣ୍ଡେସନ

ଧର୍ମଗଡ,ଗୋଲାମୁଣ୍ଡା, ୩୦/୭: ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଘରଭାଙ୍ଗିବା, ଜଳବନ୍ଦୀ ସ୍ଥିତି ଓ ଖାଦ୍ୟ ସଙ୍କଟ ଭଳି ସମସ୍ୟା ମଧ୍ୟରେ ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇବା ପାଇଁ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ ଅଭିଯାନ ଆରମ୍ଭ କରାଯାଇଛି। ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ବ୍ଲକର ସମସ୍ତ ୨୮ଟି ଗ୍ରାମପଞ୍ଚାୟତରେ ପହଞ୍ଚି ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କ ଦୁଆର ମୁହଁରେ ମାଗଣା ରାସନ, ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରୁଛନ୍ତି। ସହାୟତା ସାମଗ୍ରୀରେ ଚାଉଳ, ଡାଲି, ରୋଷେଇ ତେଲ, ଆଳୁ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ, ବିସ୍କୁଟ, ମିକ୍ସଚର, ସାବୁନ, ସରଫ ଓ ଛତା ଆଦି ସାମିଲ ରହିଛି। କ୍ରମାଗତ ବର୍ଷା ଯୋଗୁଁ ଅନେକ ଗରିବ ପରିବାରର ମାଟିଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ଫାଉଣ୍ଡେସନର ତ୍ୱରିତ ସହାୟତା ଅନେକ ପରିବାରଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟ ପରିଚାଳିତ ହେଉଥିବା ବେଳେ ବହୁ ସମାଜସେବୀ ଓ ସ୍ୱେଚ୍ଛାସେବକ ଏଥିରେ ସହଯୋଗ କରୁଛନ୍ତି। ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ଠିଆ ହୋଇ ସହାୟତା ଯୋଗାଇଥିବାରୁ ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ଆଗାମୀ ଦିନରେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.