ବିଲ୍ ଟଙ୍କା ଛାଡ଼ିବାକୁ ୩୫ ହଜାର ଲାଞ୍ଚ ନେଉଥିବା ବେଳେ MGNREGA ସହାୟିକା ଭିଜିଲାନ୍ସ ଜାଲରେ
ଭବାନୀପାଟଣା, ୮ ଜୁନ: (କଳିଙ୍ଗ ୭ ନିୟୁଜ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପିଡି ୱାଟରଶେଡ୍ କାର୍ଯ୍ୟାଳୟର MGNREGA ସହାୟିକା ପ୍ରିୟଙ୍କା ଜେନାଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିଛି।
ସୂଚନା ଅନୁଯାୟୀ, ମନରେଗା ଯୋଜନା ଅଧୀନରେ ଫାର୍ମ ପୋଖରୀ ନିର୍ମାଣ କାମ ପାଇଁ ଜଣେ ହିତାଧିକାରୀଙ୍କ ନାମରେ ୨.୬୮ ଲକ୍ଷ ଟଙ୍କାର ବିଲ୍ ଅନୁମୋଦନ ହୋଇଥିଲା। କିନ୍ତୁ ଏହି ବିଲ୍ ରାଶି ଛାଡ଼ିବା ଓ ବକେୟା ବିଲ୍ ମଞ୍ଜୁର କରାଇବା ପାଇଁ ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନଦେଲେ ବକେୟା ବିଲ୍ ଛାଡ଼ିବେ ନାହିଁ ବୋଲି ସେ ହିତାଧିକାରୀଙ୍କୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।
ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସମାଧାନ ନମିଳିବାରୁ ହିତାଧିକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପ୍ରିୟଙ୍କା ଜେନାଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଆୟବହିର୍ଭୂତ ସମ୍ପତ୍ତି (DA) ସମ୍ପର୍କରେ ତଦନ୍ତ ଚାଲିଛି।
ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୦୯/୨୦୨୬ ରୁଜୁ ହୋଇଥିବା ବେଳେ ଦୁର୍ନୀତି ନିବାରଣ ଆଇନ-୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଜାରି ରହିଛି।