କେବୁଲ୍ ଆଳ ନା ଅବହେଳାର ଖେଳ? ବର୍ଷା ପାଗରେ ରାଜରାସ୍ତାରେ ସସ୍ମିତା ଦାସ

ଜଳବନ୍ଦୀ ରେ ଚୌଦ୍ଵାର . (ରିପୋର୍ଟ: ରାଜେଶ୍ ବେହେରା)

ଟାଙ୍ଗୀ/ଚୌଦ୍ୱାର ୨୯|୭ (କଳିଙ୍ଗ ୭ ନିୟୁଜ ): ୫୫ ନମ୍ବର ଜାତୀୟ ରାଜପଥରେ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁନେଇ ପୁଣିଥରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି ଡ୍ରେନ୍ ନିର୍ମାଣ ଅଧାରେ ପଡ଼ି ରହିଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ଚୌଦ୍ୱାର କଲେଜ୍ ନିକଟ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥାନୀୟ ଲୋକଙ୍କ ଦୁର୍ଭୋଗକୁ ନେଇ ସମାଜସେବୀ ସସ୍ମିତା ଦାସ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ସାମାଜିକ ମାଧ୍ୟମରେ ଅବଗତ କରାଇବା ପରେ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ କରିବାର ଆଶ୍ୱାସନ ଦିଆଯାଇଥିଲା। ଚୌଦ୍ୱାର ଥାନା ଅଧିକାରୀଙ୍କ ଉପସ୍ଥିତିରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ, ଆଜି ଚୌଦ୍ୱାର କଲେଜ୍ ନିକଟରେ କେବଳ କିଛି ସମୟ କାମ କରିବା ପରେ ଠିକା ସଂସ୍ଥାର କର୍ମଚାରୀମାନେ ବିଭିନ୍ନ ବାହାନା ଦେଖାଇ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ସମାଜସେବୀ ସସ୍ମିତା ଦାସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଅନ୍ୟପକ୍ଷରେ, ଠିକା ସଂସ୍ଥାର ପକ୍ଷରୁ କୁହାଯାଇଛି ଯେ, ଇମ୍ଫା କମ୍ପାନୀର ଭୂତଳ ଦେଇ ଯାଇଥିବା କିଛି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ କେବୁଲ ଯୋଗୁଁ ଡ୍ରେନ୍ କାମରେ ବାଧା ସୃଷ୍ଟି ହେଉଛି। ତେବେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ଯଦି ଏହି ସମସ୍ୟା ପୂର୍ବରୁ ଥିଲା, ତେବେ ବର୍ଷବର୍ଷ ଧରି ଡ୍ରେନ୍ କାମ ଅଧପନ୍ତରିଆ ଅବସ୍ଥାରେ କାହିଁକି ପଡ଼ି ରହିଲା? ଏହି ଘଟଣାକୁ ନେଇ ଆଉ ଏକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି। ଏତେ ଦିନ ଧରି ସମସ୍ୟା ଜାରି ରହିଥିଲେ ମଧ୍ୟ ସ୍ଥାନୀୟ ବିଧାୟକ, ସାଂସଦ କିମ୍ବା ଅନ୍ୟ ଜନପ୍ରତିନିଧିମାନେ ଏହାର ସ୍ଥାୟୀ ସମାଧାନ ପାଇଁ କେବେ ସ୍ପଷ୍ଟ ପଦକ୍ଷେପ ନେଇଛନ୍ତି କି ନାହିଁ, ସେନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି—ଡ୍ରେନ୍ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ଏବଂ ଚୌଦ୍ୱାରବାସୀ କେବେ ଜଳବନ୍ଦୀ ସମସ୍ୟାରୁ ସ୍ଥାୟୀ ମୁକ୍ତି ପାଇବେ। ଏଭଳି ସ୍ଥିତିରେ ଠିକା ସଂସ୍ଥା ବିରୁଦ୍ଧରେ ଖୁବଶୀଘ୍ର ସସ୍ମିତା ଦାସ ଙ୍କୁ ସମର୍ଥନ ଜଣାଇ ଏକାଧିକ ଚୌଦ୍ଵାର ବାସୀ ଧାରଣା ଦେବେ ବୋଲି ସ୍ପଷ୍ଟ ଭାବେ ଶୁଣିବାକୁ ମିଳିଛି।

Leave A Reply

Your email address will not be published.