ବଡ଼ଚଣାରେ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍ | ୩୦ ଆହତ, ୪ ଗୁରୁତର | ପରମିଟ୍‌କୁ ନେଇ ଉଠିଲା ପ୍ରଶ୍ନ

୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍
ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ, ପ୍ରାୟ ୩୦ ଆହତ
ଯାଜପୁର/ବଡ଼ଚଣା: ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା କଢ଼େଇ ଓଭରବ୍ରିଜ୍ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଶତାଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ‘ଯଶୋଦା’ ନାମକ ଏସି ଯାତ୍ରୀବାହୀ ବସ୍‌ଟି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବଡ଼ଚଣା କଢ଼େଇ ଓଭରବ୍ରିଜ୍ ନିକଟରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାୟ ୩୦ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଜାରି ରହିଛି। ବସ୍ ଦୁର୍ଘଟଣା ପରେ ପରମିଟ୍‌କୁ ନେଇ ଉଠିଲା ବଡ଼ ପ୍ରଶ୍ନ ଦୁର୍ଘଟଣାଗ୍ରସ୍ତ OD-01-T-4445 ନମ୍ବର ବସ୍‌ର ପରମିଟ୍‌କୁ ନେଇ ମଧ୍ୟ ଏବେ ଉଠିଛି ଅନେକ ପ୍ରଶ୍ନ । ସ୍ଥାନୀୟ ସୂଚନା ଅନୁସାରେ, ଏହି ବସ୍‌ର ପରମିଟ୍ ସମ୍ପୂର୍ଣ୍ଣ ରାତ୍ରିକାଳୀନ ଯାତାୟାତ ପାଇଁ ଥିବା ବେଳେ ବସ୍‌ ଟି ଦିନ ସମୟରେ କିପରି ଯାତାୟାତ କରୁଥିଲା, ତାହା ଏବେ ତଦନ୍ତର ବିଷୟ ହୋଇଛି। ସୂଚନା ଅନୁସାରେ, ବସ୍‌ଟି ବାଲିଆପାଳରୁ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଛାଡ଼ି ବ୍ରହ୍ମପୁରରେ ପରଦିନ ସକାଳ ପ୍ରାୟ ୮ଟା। ସମୟରେ ପହଞ୍ଚିବା ପାଇଁ ନିର୍ଦ୍ଧାରିତ ଥିବା କୁହାଯାଉଛି। ଏହି ରୁଟ୍‌ରେ ଚଣ୍ଡିଖୋଲରେ ରାତି ପ୍ରାୟ ୧ଟା ସମୟ ସୀମା ଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି ହେଉଛି। ଯଦି ବସ୍‌ର ପରମିଟ୍‌ରେ ନିର୍ଦ୍ଧାରିତ ଯାତାୟାତ ସମୟ ଓ ରୁଟ୍ ରହିଛି, ତେବେ ଭଦ୍ରକ, ବାଲେଶ୍ୱର, ବାରିପଦା ଆଦି ଅଞ୍ଚଳରେ ବସ୍‌ଗୁଡ଼ିକ କେଉଁ ପରମିଟ୍ ଓ ସମୟସୂଚୀ ଅନୁଯାୟୀ ଚଳାଚଳ କରୁଛନ୍ତି? ଏହା ଉପରେ ପରିବହନ ବିଭାଗ ଓ ପ୍ରଶାସନର ନଜର ରହୁଛି କି ନାହିଁ, ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ। ଅଧିକ ଯାତ୍ରୀ ନେବାକୁ ନେଇ ମଧ୍ୟ ପ୍ରଶ୍ନ


ଅନ୍ୟପକ୍ଷରେ, ବସ୍‌ରେ ଅନୁମୋଦିତ କ୍ଷମତାଠାରୁ ଅଧିକ ଯାତ୍ରୀ ନିଆଯାଉଥିଲେ କି ନାହିଁ, ତାହାର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ। ବିଶେଷକରି କଟକ ଓ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଏପରି ବସ୍‌ରେ ଅତିରିକ୍ତ ଯାତ୍ରୀ ଲୋଡ୍ କରାଯାଉଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ହେବା ଦରକାର ବୋଲି ପ୍ରଶ୍ନ ଉଠିଛି।

ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ଏହି ଦୁର୍ଘଟଣା ପରେ ବସ୍‌ର ପରମିଟ୍, ରୁଟ୍, ସମୟସୂଚୀ, ଫିଟନେସ୍, ବୀମା, ଡ୍ରାଇଭରଙ୍କ ଲାଇସେନ୍ସ, ଯାତ୍ରୀ ସଂଖ୍ୟା ଓ ଓଭରଲୋଡିଂ ଆଦି ସମସ୍ତ ଦିଗରୁ ତଦନ୍ତ କରିବା ଆବଶ୍ୟକ। ପରମିଟ୍‌ରେ ଯାହା ଉଲ୍ଲେଖ ରହିଛି, ବାସ୍ତବରେ ବସ୍‌ଟି ସେହି ନିୟମ ଅନୁସାରେ ଚାଲୁଥିଲା କି? ଯଦି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ଏତେଦିନ ଧରି ପ୍ରଶାସନର ନଜରକୁ ଏହା କିପରି ଆସିଲା ନାହିଁ? ଏବେ ଏହି ଘଟଣାର ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ସହିତ ପରମିଟ୍ ଏବଂ ଯାତାୟାତ ସମୟସୂଚୀର ଯାଞ୍ଚ ପାଇଁ ଦାବି ଜୋର ଧରିଛି।

Leave A Reply

Your email address will not be published.