ସଂସ୍କାର, ସାଧନା ଓ ସଫଳତା, ତ୍ରିକାଳ ସନ୍ଧ୍ୟାର ମହିମା

ଲିପ୍ସା ରାଉତ ଭୁବନେଶ୍ଵର

ସଂସ୍କାର, ସାଧନା ଓ ସଫଳତା, ତ୍ରିକାଳ ସନ୍ଧ୍ୟାର ମହିମା : ରାମଚନ୍ଦ୍ର ଦାସ ମହାପାତ୍ର (ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ)

 

ପୁରୀ : ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଏବଂ ଓଡ଼ିଶା ସର୍ଭିସ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲସର ମିଳିତ ଆନୁକୂଲ୍ୟରେ ପୁରୀ ମାଳି ଜାଗାଠାରେ ରବିବାର ସନ୍ଧ୍ୟାରେ ଏକ ବିଶେଷ ଉଦ୍‌ଘାଟନ, ଭଜନ ସନ୍ଧ୍ୟା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ. ଭାସ୍କର ମିଶ୍ର ମୁଖ୍ୟ ବକ୍ତା ଏବଂ ଡ. ଶରତ ମହାନ୍ତି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ନିଜର ଆଶୀର୍ବଚନ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ପ୍ରକାଶିତ ‘ତ୍ରିସନ୍ଧ୍ୟା ପ୍ରାର୍ଥନା’ ପୁସ୍ତକକୁ ସମସ୍ତେ ଅନୁକରଣ ଓ ପାଠ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଦୃଷ୍ଟିବାଧିତ ଶିଶୁମାନଙ୍କ ଦ୍ୱାରା ପରିବେଷିତ ସୁନ୍ଦର ଭଜନ ଓ କଥାମୃତ କାର୍ଯ୍ୟକ୍ରମ ଶ୍ରୋତାମାନଙ୍କୁ ବିମୋହିତ କରିଥିଲା। କାର୍ଯ୍ୟକ୍ରମରେ ସୁନ୍ଦର ଜରି ମେଢ଼ କାର୍ଯ୍ୟ ପାଇଁ ବୀର ପୁରୁଷୋତ୍ତମପୁର ଗ୍ରାମର ସୌମ୍ୟଶ୍ରୀ ଦାଶଙ୍କୁ ଡ. ଶରତ ମହାନ୍ତି ‘ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ’ରେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୮୫,୦୦୦ ଫଳନ୍ତି ବୃକ୍ଷ ରୋପଣ କରିଥିବା ବାବା ଜୀବନ ସାହାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବା ପାଇଁ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ସକାଳ ସମୟରେ ଜଗତର କଲ୍ୟାଣ କାମନା କରି ସଦସ୍ୟମାନେ ମା’ ବାଟ ମଙ୍ଗଳାଙ୍କ ପୀଠରେ ପ୍ରାର୍ଥନା ଓ ଦର୍ଶନ କରିଥିଲେ। ପରେ ତାଳବଣିଆ ହେଲିପାଡ୍ ପାର୍କ ନିକଟରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତ ୧୪ ବର୍ଷ ଧରି ଚାଲିଆସୁଥିବା ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମାଗଣା ପ୍ରସାଦ/ଅନ୍ନଦାନ କାର୍ଯ୍ୟକ୍ରମରେ ସଂସ୍ଥାନର ସଦସ୍ୟମାନେ ଯୋଗଦେଇ ସେବା ପ୍ରଦାନ କରିଥିଲେ।

ଏହି ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଶା ସର୍ଭିସ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲସର ସଭାପତି ଶ୍ରୀ ଭବାନୀ ଶଙ୍କର ପାଢ଼ୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ସଭାପତି ଡ. ନାରାୟଣ ମହାପାତ୍ରଙ୍କ ସମେତ ବିଜୟ ମୋହନ ପଣ୍ଡା, ଶ୍ରୀନିବାସ ରାଓ ଓ ଚକ୍ରଧର ମାଝୀ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.